ଟ୍ୱିନ ସିଟିରେ ଗଡ଼ିବ ମେଟ୍ରୋ, ଉଚ୍ଚସ୍ତରୀୟ କମିଟିର ତର୍ଜମା ପରେ ନିଆଯିବ ନିଷ୍ପତି..

ଓଏଲ୍ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ତ୍ରିଶୁଳିଆ ନୁହେଁ ବରଂ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ। ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି।
ଏହାସହ ସେ କହିଛନ୍ତି, ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି। ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପୂର୍ବରୁ ମେଟ୍ରୋ ଯିବା ନେଇ ପ୍ଲାନ କରାଯାଇଥିଲା। ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ ? କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି। କମିଟି ଅନୁଧ୍ୟାନ କରୁଛି ଏବଂ ଏହାର ପରିଧିକୁ ବିସ୍ତୃତ କରାଯିବ ଏବଂ ଏହି ପ୍ରକଳ୍ପକୁ ବାତିଲ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ତେବେ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଏହି ମେଟ୍ରୋ ରେଳ ଚଳାଚଳ କରିବ। ଏହା ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ନେଇ ସୂଚନା ମିଳିଛି।