Odisha Link
Bridging the Missing Links in Odisha

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭରସିଟି, ପ୍ରକାଶ ପାଇଲା ବିଜ୍ଞପ୍ତି

ଓଏଲ୍‌ ବ୍ୟୁରୋ: ଓଡ଼ିଶାକୁ କେନ୍ଦ୍ର ସରକାରଙ୍କର ଆଉ ଏକ ଭେଟି। ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭରସିଟି। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଗେଜେଟ ନୋଟିଫିକେନ।

ସୂଚନା ଅନୁସାରେ, ଓଡ଼ିଶାରେ ‘ନ୍ୟାସନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ସେପ୍ଟେମ୍ବର ୨୭, ୨୦୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଥିଲେ।

ବଢୁଥିବା ସାଇବର କ୍ରାଇମ ପରିପ୍ରେକ୍ଷୀରେ ରାଜ୍ୟରେ ଏହିପରି ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ରାଜ୍ୟର ପୋଲିସ ଅଧିକାରୀମାନେ ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା ସହିତ ରାଜ୍ୟରେ ସାଇଣ୍ଟିଫିକ୍‌ ଅଫିସର ମାନଙ୍କ ଆବଶ୍ୟକତା ପୂରଣ ହେବାରେ ସହାୟକ ହେବ।

Leave A Reply

Your email address will not be published.