ମଦ୍ୟପାନ ଯୋଗୁଁ ଘଟିଲାଣି ୨୧୨୭ ଦୁର୍ଘଟଣା, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଜାରି ରହିଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ବି ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି, ହୋହହ୍ଲା କରିଛନ୍ତି। ହଟ୍ଟଗୋଳ ମଧ୍ୟରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୨ଟା ଯାଏଁ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।
ପରେ ପୁଣି ବିଧାନସଭା କାର୍ଯ୍ୟ ଆରମ୍ଭ ହୋଇଛି। ଏସବୁ ଭିତରେ ମନ୍ତ୍ରୀଙ୍କ ଦୁର୍ଘଟଣା ଜନିତ ରିପୋର୍ଟ ଚିନ୍ତା ବଢ଼ାଇଛି। ରାଜ୍ୟରେ ବଢୁଛି ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା। ତିନି ବର୍ଷରେ ମଦ୍ୟପାନ ଯୋଗୁଁ ଘଟିଲାଣି ୨୧୨୭ଟି ଦୁର୍ଘଟଣା। ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡିଥିବା ବେଳେ ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଗତ ୫ ବର୍ଷ ରେ ୫୬ ହଜାର ୮୩୧ଟି ସଡ଼କ ଦୁର୍ଘଟଣାରେ ୨୭ ହଜାର ୧୬୭ଟି ଜୀବନ ଯାଇଛି ଏବଂ ୫୦ ହଜାର ୪୧ ଜଣ ଆହତ ହୋଇଛନ୍ତି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।