Odisha Link
Bridging the Missing Links in Odisha

ଏପ୍ରିଲ୍ ୨ରୁ ପ୍ରଥମ ଶ୍ରେଣୀରେ ନାମଲେଖା ଆରମ୍ଭ, ଛାତ୍ରଛାତ୍ରୀଙ୍କୁ ମିଳିବ ପାଠ୍ୟକ୍ରମ ଉପକରଣ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟର କିଛି ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି ତାପମାତ୍ରା। ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସକାଳୁଆ ସ୍କୁଲ ହେବ। ଏନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ନିମନ୍ତେ ନାମଲେଖା ଆରମ୍ଭ ହେବ। ନାମ ଲେଖା ବୟସକୁ ୬ ବର୍ଷ ରଖାଯାଇଛି। ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକଙ୍କ ପାଇଁ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଏହାକୁ ବିଦ୍ୟାଳୟରେ ବଣ୍ଟନ କରିବାକୁ ବ୍ୟବସ୍ଥା କରାଯାଇଛି।

୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ କମିଶନର କମ୍‌ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦିଆଯାଇ ‘ଶିଶୁ ବାଟିକା’ ନାମରେ ଏକ ଅତିରିକ୍ତ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ଶିଶୁ ବାଟିକାରେ ପିଲାମାନେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ିବେ। ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ଦ୍ୱାରା ବିକଶିତ ସମସ୍ତ ପୁସ୍ତକ ଏପ୍ରିଲ ୧ ସୁଦ୍ଧା ସମସ୍ତ ପିଲାଙ୍କୁ ଦିଆଯିବ। ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏକ କିଟ୍‌ ପ୍ରଦାନ କରାଯିବ। ଏହି କିଟ୍‌ରେ ସ୍କୁଲ ବ୍ୟାଗ ସହିତ ପାଠ୍ୟକ୍ରମ ଉପକରଣ ଅନ୍ତର୍ଭୁକ୍ତ ହେବ।

ଓଡ଼ିଶା ସରକାର ଆଗାମୀ ଶିକ୍ଷାବର୍ଷ ୨୦୨୬-୨୦୨୭ ମଧ୍ୟରେ ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନ୍‌ସିଇଆରଟି ପୁସ୍ତକ ସହିତ ସମାନ୍ତରାଳ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି। ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ପାଳନ କରାଯିବ। ଏଥିପାଇଁ ଯୋଗ୍ୟ ବିବେଚିତ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି। ଏହି ଉତ୍ସବକୁ ପ୍ରତ୍ୟେକ ବିଦ୍ୟାଳୟରେ ଚାରି ଦିନବ୍ୟାପୀ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.