ବଢ଼ିଚାଲିଛି ସୁନା ଦର, ଓଡ଼ିଶା ବିଧାନସଭାରୁ ଆସିଲା ବଡ଼ ଖବର..

ଓଏଲ୍ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଜାନୁଆରୀରୁ ହୁ ହୁ ହୋଇ ବଢିଛି ସୁନା ଦର। ସୁନା ଦର ବୃଦ୍ଧି ଭିତରେ ସୁନା ଖଣି ଠାବ ଖବର ଚର୍ଚ୍ଚା ବଢ଼ାଇ ଦେଇଛି। ଆଜି ଓଡିଶା ବିଧାନସଭାରେ ବିଧାୟକ ଚକ୍ରମଣି କହଁର ରାଜ୍ୟର କେଉଁ କେଉଁ ସ୍ଥାନରେ କେତୋଟି ସୁନା ଖଣିର ସନ୍ଧାନ ମିଳିଛି ଆଉ କେଉଁ କେଉଁ ନୂଆ ଖଣି କେଉଁ କେଉଁ ସ୍ଥାନରେ ଅଛି ସେନେଇ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ।
ଖଣି ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟର ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଜି-୨ ସ୍ତରରେ ଅନ୍ୱେଷଣ କଲାବେଳେ ସୁନାପଥରର ସନ୍ଧାନ ମିଳିଛି। କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର, ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାମ ଚାଲୁ ରହିଛି।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ ଅଞ୍ଚଳରେ ସୁନାଖଣି ଅନ୍ୱେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି । ଏହାବ୍ୟତୀତ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବରେ ସୁନା ଥିବାର ସୂଚନା ମିଳିଛି।