Odisha Link
Bridging the Missing Links in Odisha

ପଖାଳ ପାଇଁ ଆଜି ସ୍ୱତନ୍ତ୍ର ଦିନଟିଏ, ଜାଣନ୍ତୁ ପଖାଳ ଖାଇଲେ ଦୂର ହୁଏ କେଉଁ ରୋଗ..

ଓଏଲ୍‌ ବ୍ୟୁରୋ: ସବୁ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ। ଖଟିଖିଆଙ୍କ ଠାରୁ ସରକାରୀ କର୍ମଚାରୀଙ୍କ ଯାଏଁ ସମସ୍ତଙ୍କ ଅତି ପ୍ରିୟ। ଖାଣ୍ଟି ଓଡ଼ିଆର ମନ ପସନ୍ଦ ଖାଦ୍ୟ ହେଉଛି ବାସି ପଖାଳ। ତେବେ ଆଜି ହେଉଛି ଓଡ଼ିଆଙ୍କ ପିୟ ଖାଦ୍ୟ ପଖାଳ ଦିବସ। ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଆସୁଛି। ସମସ୍ତେ ପଖାଳ ଖାଇବା ସହ ସୋସିଆଲ ମିଡ଼ିଆରେ ପଖାଳର ଚିତ୍ର ଦେଇ ଏହି ଦିବସର ଚାହିଦା ବଢ଼ାଇ ଦେଇଛନ୍ତି।

ପଖାଳ ଖାଲି ଓଡ଼ିଆଙ୍କ ପ୍ରେମ ନୁହେଁ ବରଂ ଏହା ଖାଇବା ଦ୍ୱାରା ଅନେକ ଉପକାର ମଧ୍ୟ ମିଳିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ପଖାଳ। ପଖାଳ ଏକ ପିତ୍ତ ନାଶକ ଖାଦ୍ୟ ଯାହା କୋଷ୍ଠ କାଠିନ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଦୂର କରେ। ଶରୀରରେ ଜଳୀୟ ଅଂଶ ବଢାଇବା ସହ ପେଟ ଥଣ୍ଡା ରଖେ ବାସି ପଖାଳ। ତେବେ ବିଭିନ୍ନ ଉପକାରିତା ଥିବା ଏହି ପଖାଳକୁ ନେଇ ଆଜି ବିଶ୍ୱ ପଖାଳ ଦିବସ, ଯାହାକୁ ନେଇ ବେଶ ଖୁସି ଓଡ଼ିଆ ମନ।

ସାରା ବିଶ୍ବରେ ଓଡ଼ିଆମାନେ ପାଳନ କରୁଛନ୍ତି ପଖାଳ ଦିବସ। ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି। ତେବେ ଆଜି ଏହି ଅବସରରେ ସବୁଠି ଓଡ଼ିଆ ଖାଦ୍ୟର ମହକ ଖେଳିଯାଇଛି।

ଖଟି ଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲ ଯାଏଁ ମେନ୍ୟୁରେ ଏବେ ସ୍ଥାନ ପାଉଛି ପଖାଳ। ସକାଳୁ ଉଠିଲେ ଗରିବ ଲୋକଙ୍କ ପାଇଁ ପଖାଳ କଂସା ପାଲଟିଥାଏ ବଡ଼ ସାହାରା। ଅତି ଖୁସିରେ ଦୁଇ ମୁଠା ପଖାଳ ସାଙ୍ଗକୁ ଶାଗଭଜା ଖାଇ ଚାଷୀ ଯାଏ ବିଲକୁ ଅମଳ କରି। ଆଉ ଆମିଷ ଯାହାର ପସନ୍ଦ, ପଖାଳ ସାଙ୍ଗକୁ ମାଛ ଭଜା ଖାଇ ସେ ଭାରି ଖୁସି।

ସାଧାରଣତଃ ଗରମ ଦିନରେ ଓଡ଼ିଆ ଘରର ମୁଖ୍ୟ ଖାଦ୍ୟ ପଖାଳ। ଖାଲି ଓଡ଼ିଆଙ୍କ ପ୍ରିୟ ପଖାଳ ନୁହେଁ ବରଂ ଏହା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟ। ମହାପ୍ରଭୁଙ୍କ ପାଖରେ ଦହି ପଖାଳ, ମଲ୍ଲିଫୁଲିଆ ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ। ଓଡ଼ିଆଙ୍କ ପଖାଳକୁ ଏବେ ସବୁଠି ଭଲ ପାଇବା ମିଳିଛି।

Leave A Reply

Your email address will not be published.