ଡା. ବନମାଳୀ ସାହୁ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ

ଓଏଲ୍ ବ୍ୟୁରୋ: ଡା. ବନମାଳୀ ସାହୁଙ୍କ ସ୍ମୃତିରେ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଛି। ଏହି ପ୍ରତିଯୋଗିତାରେ ଗଞ୍ଜାମ ଗାଙ୍ଗଦହଣୀ, ପୁରୁଷୋତ୍ତମପୁର ସରକାରୀ ୟୁଜି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗୋଦାବରୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ସୁନ୍ଦରଗଡର କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶ୍ରାବଣୀ ପାତ୍ର। ତୃତୀୟ ସ୍ଥାନ ପାଇଁ ଯୁଗ୍ମ ଭାବେ ୨ ପ୍ରତିଯୋଗୀ ରହିଛନ୍ତି।
ସେମାନେ ହେଉଛନ୍ତି ଆଠଗଡ ଧୁରୁଷିଆ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣମୟୀ ପ୍ରଧାନ ଏବଂ କଳାହାଣ୍ଡି ଏମ. ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୀପିକା ସାହୁ। ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ୫୦,୦୦୦/- ଟଙ୍କା ଏବଂ ୪୦,୦୦୦/- ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିବାବେଳେ ତୃତୀୟ ସ୍ଥାନ ଅଧିକାର କରିଥିବା ଯୁଗ୍ମ ପ୍ରତିଯୋଗୀଙ୍କୁ ପ୍ରତ୍ୟେକ ୧୫,୦୦୦/- ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ବିଜେତା ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ପୁରସ୍କାର ସ୍ବରୂପ ୧୦,୦୦୦/- ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ମୋଟ ୮୧ଟି ବିଦ୍ୟାଳୟର ୯୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଡା. ବନମାଳୀ ସାହୁ ରାଜ୍ୟର ଜଣେ ଚିକିତ୍ସକ ଓ କବି ଥିଲେ । ସୁଦୂର ଦେବଗଡ ଜିଲ୍ଲାର ବନ୍ୟ କ୍ଷେତ୍ରରେ ବସବାସ କରୁଥିବା ବଞ୍ଚିତ ସମୁଦାୟଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ନିଜ ଜୀବନକୁ ସମର୍ପିତ କରିଥିଲେ। ସେ ଓଡିଆ ସାହିତ୍ୟ ସହିତ ଅଙ୍ଗାଙ୍ଗି ଜଡିତ ଥିଲେ। ବିଶେଷ କରି କବିତା କ୍ଷେତ୍ରରେ ତାଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଥିଲା। ସେ ତାଙ୍କ ଜୀବନକାଳ ମଧ୍ୟରେ ୨୫ରୁ ଅଧିକ ପ୍ରକାଶିତ ଓ ଅପ୍ରକାଶିତ କୃତି ଛାଡି ଯାଇଛନ୍ତି। ଡା. ବନମାଳୀ ସାହୁଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ରାଷ୍ଟ୍ରଦୂତ ତଥା ଲେଖକ ଅରୁଣ କୁମାର ସାହୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ସାହିତ୍ୟ ଦିଗରେ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ବାର୍ଷିକ ସ୍ମୃତି ପ୍ରବନ୍ଧ ପ୍ରତିଯୋଗିତା ଆରମ୍ଭ କରିଛନ୍ତି।
ବିଜେତା ଏବଂ ସେମାନଙ୍କର ପ୍ରଧାନ ଶିକ୍ଷକମାନଙ୍କୁ ଭୁବନେଶ୍ବର ଏକ ତାରକା ହୋଟେଲ ଆୟୋଜିତ ପ୍ରତିଷ୍ଠିତ କଳିଙ୍ଗ ସାହିତ୍ୟ ମହୋତ୍ସବରେ ପୁରସ୍କୃତ କରାଯାଇଛି। ଏହି ସମାରୋହରେ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ, ବୁଲଗାରିଆର ପ୍ରସିଦ୍ଧ ଲେଖିକା ତାନ୍ୟା ଇଭୋନୋଭା, କଳିଙ୍ଗ ସାହିତ୍ୟ ଉତ୍ସବର ପ୍ରତିଷ୍ଠାତା ଅଶୋକ ବଳ ଏବଂ ସହ ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡା ପୁରସ୍କାର ବିତରଣ କରିଥିଲେ। ଏହାକୁ ସୂଚାରୁରୂପେ ସୌମ୍ୟରଞ୍ଜନ ସାହୁ, ଶ୍ରେୟା ମିଶ୍ର, ପିଣ୍ଟୁ ବଡ଼ଜେନା ଓ ଅନ୍ୟସାଥିମାନେ ପରିଚାଳନା କରିଥିଲେ।