୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା ଗୁରୁତ୍ୱ..

ଓଏଲ୍ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ତାଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାରଙ୍କର ବଜେଟ୍ ଉପସ୍ଥାପନ ହୋଇଛି। ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି।
ବଜେଟ୍ ଭାଷଣ ଆରମ୍ଭରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ପଛରେ ପଡ଼ିଯାଇଥିବା ଦିଲ୍ଲୀର ବିକାଶ ପାଇଁ ମୁଁ ଆଜି ବଜେଟ୍ ଉପସ୍ଥାପନ କରୁଛି। ଦିଲ୍ଲୀକୁ ରାମରାଜ୍ୟ ପରି ଗଢି ତୋଳିବାକୁ ପ୍ରୟାସ ଚାଲିଛି।
ଆମେ ଆଶା କରୁଛୁ ଯେ, ଏହି ପ୍ରୟାସ ନିଶ୍ଚିତ ଭାବରେ ଆଗକୁ ସଫଳ ହେବ। ସେ ଆପ୍ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘‘ସେମାନେ କହୁଥିଲେ କି ବିଜେପି ଆସିଲେ ବସ୍ତି ଉଠାଇ ଦେବ। ମାତ୍ର ଆମେ ଏହା ପାଇଁ ଅଧିକ ୧୫୭ ପ୍ରତିଶତ ବଜେଟ୍ କରିଛୁ।’’
ଦିଲ୍ଲୀରୁ ହଟିବ ବସ୍ତି ଯୁଗ। ତୁମେ ଶୀଶମହଲ ନିର୍ମାଣ କରାଇଲ, ଆମେ ଗରିବଙ୍କ ପାଇଁ ଘର ନିର୍ମାଣ କରିବୁ। ଆମେ ବସ୍ତି ବାସିନ୍ଦାଙ୍କ ପାଇଁ ଶୌଚାଳୟ ଏବଂ ସ୍ନାନାଗାର ନିର୍ମାଣ କରିବୁ ବୋଲି ରେଖା ଗୁପ୍ତ କହିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଗତ ବର୍ଷ ତୁଳନାରେ ୩୧.୫% ଅଧିକ ରହିଛି। ୨୦୨୪-୨୫ ବର୍ଷର ବଜେଟ୍ ୭୬ ହଜାର କୋଟି ଟଙ୍କା ଥିଲା। ତା ପୂର୍ବରୁ ୨୦୨୩-୨୪ ବର୍ଷର ବଜେଟ୍ ୭୮ ହଜାର ୮୦୦ କୋଟି ଟଙ୍କା ଥିଲା।
ଚଳିତ ବଜେଟରେ ଜାଣନ୍ତୁ ଦିଲ୍ଲୀବାସୀଙ୍କ ପାଇଁ ୧୦ଟି ବଡ ଘୋଷଣା କରିଛନ୍ତି।
୧. ଖୁବଶୀଘ୍ର ଦିଲ୍ଲୀରେ ବିଜେପି ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯିବ। ଆୟୁଷ୍ମାନ ଯୋଜନା ପାଇଁ ୨୧୪୪ କୋଟି ଟଙ୍କାର ବଜେଟ୍ ବରାଦ କରାଯାଇଛି। ଏହି ଯୋଜନା ଅଧୀନରେ, ଆପଣଙ୍କୁ କେବଳ ୫ ଲକ୍ଷ ଟଙ୍କାର ବୀମା ମିଳିବ ନାହିଁ, ବରଂ ବିଜେପି ସରକାର ପକ୍ଷରୁ ଆହୁରି ୫ ଲକ୍ଷ ଟଙ୍କା ଦିଆଯିବ । ଅର୍ଥାତ୍, ଏହି ଯୋଜନାରେ ଲୋକଙ୍କୁ ମୋଟ ୧୦ ଲକ୍ଷ ଟଙ୍କାର ବୀମା ମିଳିବ ।
୨. ଦିଲ୍ଲୀର ଭିତ୍ତିଭୂମି ପାଇଁ ୧୦୦୦ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଛି। ଦିଲ୍ଲୀର ବିକାଶ ପାଇଁ ବିଜେପି ସରକାର ୧୦ଟି କ୍ଷେତ୍ର ଚିହ୍ନଟ କରିଛନ୍ତି। ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରି ଦିଲ୍ଲୀର ଏନସିଆର ସହିତ ସଂଯୋଗୀକରଣକୁ ଉନ୍ନତ କରିବା ଦିଗରେ ମଧ୍ୟ ସରକାର ଧ୍ୟାନ ଦେବେ।
୩. ଗର୍ଭବତୀ ମହିଳାଙ୍କ ପାଇଁ ୨୧୦ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ଗର୍ଭବତୀ ମହିଳା ନିଜ ସହ ପିଲାର ଯତ୍ନ ପାଇଁ ପ୍ରତି ମାସରେ ୨୧ ହଜାର ଟଙ୍କା ପାଇବେ। ମହିଳା ସମୃଦ୍ଧି ଯୋଜନା ପାଇଁ ୫୧୦୦ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ଏହି ଯୋଜନା ଅନୁଯାୟୀ, ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ପ୍ରଦାନ କରାଯିବ।
୪. ମହିଳାଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀରେ ୫୦ ହଜାର ଅତିରିକ୍ତ କ୍ୟାମେରା ଲଗାଯିବ।
୫. ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ମୋଟ ୧୪୭ କୋଟି ଟଙ୍କାର ବଜେଟ୍ ରହିଛି।
୬. ଦିଲ୍ଲୀରେ ଯମୁନା ନଦୀର ସଫେଇ କାର୍ଯ୍ୟ ପାଇଁ ବଜେଟରେ ୯ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଡ୍ରେନ୍ର ମଇଳା ପାଣି ଯମୁନା ନଦୀରେ ନ ପଡ଼ିବା ପାଇଁ ବିକେନ୍ଦ୍ରୀକୃତ ସ୍ୱେରେଜ୍ ପ୍ଲାଣ୍ଟ ପାଇଁ ୫ ଶହ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ଆଧୁନିକ ଯନ୍ତ୍ରପାତି କ୍ରୟ ପାଇଁ ୪୦ କୋଟି ବ୍ୟୟବରାଦ କରାଯାଇଛି। କେନ୍ଦ୍ର ସରକାରଙ୍କଠାରୁ ଏନେଇ ୨ ହଜାର କୋଟି ଟଙ୍କା ଦାବି କରାଯାଇଛି।
୭. ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୬୮୭୪ କୋଟି ଟଙ୍କା ବଜେଟ୍ ରଖାଯାଇଛି । ୧୦ ରୁ ୧୨ଟି ଅଧା ନିର୍ମାଣ ଥିବା ଡାକ୍ତରଖାନାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୋଟ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆରୋଗ୍ୟ ଆୟୁଷ ମନ୍ଦିର ପାଇଁ ୩୨୦ କୋଟି ଟଙ୍କା ଦିଆଯାଇଛି। ଜନ ଆରୋଗ୍ୟ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କାର ଅତିରିକ୍ତ ବୀମା ପ୍ରଦାନ କରାଯିବ ।
୮. ଶିକ୍ଷା ପାଇଁ ୮୮୬ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି ଦିଲ୍ଲୀ ସରକାର । ୧୦୦ କୋଟି ଟଙ୍କା ବିନିଯୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ବିଦ୍ୟାଳୟ ଧାରାରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଦ୍ୟାଳୟ ଖୋଲାଯିବ। ପଣ୍ଡିତ ମଦନ ମୋହନ ମାଲବ୍ୟ ବିଦ୍ୟା ଶକ୍ତି ମିଶନ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ ସରକାର। ଏଥିପାଇଁ ୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
୯. ସ୍ମାର୍ଟ କ୍ଲାସ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଦଶମ ଶ୍ରେଣୀ ପାସ୍ କରିଥିବା ୧୨୦୦ ପିଲାଙ୍କୁ ଲାପଟପ୍ ପ୍ରଦାନ କରାଯିବ । ଯେଉଁଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ନରେଲାରେ ଏକ ଶିକ୍ଷା କେନ୍ଦ୍ର ନିର୍ମାଣ କରାଯିବ। କ୍ରୀଡା ଏବଂ ବୈଷୟିକ କର୍ମଚାରୀଙ୍କ ପାଇଁ ମଧ୍ୟ ପାଣ୍ଠି ଆବଣ୍ଟନ କରାଯାଇଛି।
୧୦. ବୃଦ୍ଧଙ୍କ ପେନସନ ୨ ହଜାର ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ଦିଲ୍ଲୀ ସରକାର । ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ପେନସନ ୨,୫୦୦ ଟଙ୍କା ପରିବର୍ତ୍ତେ ୩,୦୦୦ ଟଙ୍କା ହେବ। ବଜେଟରେ ସାମାଜିକ ପେନସନ ଯୋଜନା ପାଇଁ ୩୨୨୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।