Odisha Link
Bridging the Missing Links in Odisha

ବଜେଟରେ ବଡ଼ ଘୋଷଣା: ଯମୁନା ନଦୀ ପାଇଁ ୫୦୦ କୋଟି ବ୍ୟୟବରାଦ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ତାଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାରଙ୍କର ବଜେଟ୍ ଉପସ୍ଥାପନ ହୋଇଛି। ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି।

ବଜେଟ୍ ଭାଷଣ ଆରମ୍ଭରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ପଛରେ ପଡ଼ିଯାଇଥିବା ଦିଲ୍ଲୀର ବିକାଶ ପାଇଁ ମୁଁ ଆଜି ବଜେଟ୍ ଉପସ୍ଥାପନ କରୁଛି। ଦିଲ୍ଲୀକୁ ରାମରାଜ୍ୟ ପରି ଗଢି ତୋଳିବାକୁ ପ୍ରୟାସ ଚାଲିଛି।

ଆମେ ଆଶା କରୁଛୁ ଯେ, ଏହି ପ୍ରୟାସ ନିଶ୍ଚିତ ଭାବରେ ଆଗକୁ ସଫଳ ହେବ। ସେ ଆପ୍‌ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘‘ସେମାନେ କହୁଥିଲେ କି ବିଜେପି ଆସିଲେ ବସ୍ତି ଉଠାଇ ଦେବ। ମାତ୍ର ଆମେ ଏହା ପାଇଁ ଅଧିକ ୧୫୭ ପ୍ରତିଶତ ବଜେଟ୍‌ କରିଛୁ।’’

ଦିଲ୍ଲୀରୁ ହଟିବ ବସ୍ତି ଯୁଗ। ତୁମେ ଶୀଶମହଲ ନିର୍ମାଣ କରାଇଲ, ଆମେ ଗରିବଙ୍କ ପାଇଁ ଘର ନିର୍ମାଣ କରିବୁ। ଆମେ ବସ୍ତି ବାସିନ୍ଦାଙ୍କ ପାଇଁ ଶୌଚାଳୟ ଏବଂ ସ୍ନାନାଗାର ନିର୍ମାଣ କରିବୁ ବୋଲି ରେଖା ଗୁପ୍ତ କହିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଗତ ବର୍ଷ ତୁଳନାରେ ୩୧.୫% ଅଧିକ ରହିଛି। ୨୦୨୪-୨୫ ବର୍ଷର ବଜେଟ୍ ୭୬ ହଜାର କୋଟି ଟଙ୍କା ଥିଲା। ତା ପୂର୍ବରୁ ୨୦୨୩-୨୪ ବର୍ଷର ବଜେଟ୍ ୭୮ ହଜାର ୮୦୦ କୋଟି ଟଙ୍କା ଥିଲା।

ଦିଲ୍ଲୀରେ ଯମୁନା ନଦୀର ସଫେଇ କାର୍ଯ୍ୟ ପାଇଁ ବଜେଟରେ ୯ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଡ୍ରେନ୍‌ର ମଇଳା ପାଣି ଯମୁନା ନଦୀରେ ନ ପଡ଼ିବା ପାଇଁ ବିକେନ୍ଦ୍ରୀକୃତ ସ୍ୱେରେଜ୍ ପ୍ଲାଣ୍ଟ ପାଇଁ ୫ ଶହ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। ଆଧୁନିକ ଯନ୍ତ୍ରପାତି କ୍ରୟ ପାଇଁ ୪୦ କୋଟି ବ୍ୟୟବରାଦ କରାଯାଇଛି। କେନ୍ଦ୍ର ସରକାରଙ୍କଠାରୁ ଏନେଇ ୨ ହଜାର କୋଟି ଟଙ୍କା ଦାବି କରାଯାଇଛି।

Leave A Reply

Your email address will not be published.