Odisha Link
Bridging the Missing Links in Odisha

ଋଷିକୁଲ୍ୟା ବେଳାଭୂମିରେ ବିରଳ ବହୁରୂପୀ କଇଁଛ ଠାବ

ଓଏଲ୍‌ ବ୍ୟୁରୋ: ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍‌ଲେଙ୍କ ନୂଆ ରେକର୍ଡ। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍ ରିଡ୍‌ଲେଙ୍କ ଆଗମନ ଏବର୍ଷ ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ଦୁଇଟି ପର୍ଯ୍ୟାୟରେ ମୋଟ ୮ଲକ୍ଷ ୧୮ହଜାର ୭୪୯ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଋଷିକୁଲ୍ୟା ମୁହାଣରେ ପ୍ରଥମଥର ପାଇଁ ବିରଳ ବହୁରୂପୀ ସାମୁଦ୍ରିକ କଇଁଛ ହକ୍‌ସବିଲ୍‌କୁ ଠାବ ହୋଇଛି। ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଉକ୍ତ କଇଁଛଟି ଏକକାଳୀନ ୧୪୦ଟି ଅଣ୍ଡା ଦେଇ ବେଳାଭୂମିରୁ ଫେରିଥିବା ବେଳେ ତାକୁ ଚିହ୍ନଟ କରିବା ଲାଗି ତା’ର ପିଠି ଉପରେ ଏକ ମାର୍କ କରାଯାଇଛି। ଏହି ପ୍ରଜାତିର କଇଁଛ ମୁଖ୍ୟତଃ ଶ୍ରୀଲଙ୍କାରେ ଦେଖା ଯାଇଥା’ନ୍ତି। ପାଣିର ତୀବ୍ରତା ଅନୁସାରେ ମେକ୍ସିକୋ, ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ ନିଜର ରଙ୍ଗ ବଦଳାଇଥା’ନ୍ତି।

ଚଳିତବର୍ଷ ଫେବ୍ରୁଆରି ୧୬ ତାରିଖ ଠାରୁ ପ୍ରାୟ ୮ଦିନ ବ୍ୟାପୀ ଅଲିଭ୍ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ହୋଇଥିଲା। ଋଷିକୁଲ୍ୟା ମୁହାଣର ଗୋଖରକୁଦା ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମିରେ ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଅଣ୍ଡାଦାନ କରିଥିଲେ। ସେହିପରି ଗତ ଶୁକ୍ରବାର ଠାରୁ ଦ୍ବିତୀୟ ପର୍ଯ୍ୟାୟ କଇଁଛଙ୍କ ଆଗମନ ଆରମ୍ଭ ନୂଆପୋଡ଼ମପେଟାରୁ ବଟେଶ୍ଵର ଦେଇ ସିଦ୍ଧାନ୍ତନଗର ପର୍ଯ୍ୟନ୍ତ ବେଳାଭୂମିରେ ମୋଟ ୧ଲକ୍ଷ ୨୦ହଜାର ୩୧ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ସୂଚନା ଅନୁସାରେ, ଗତ ୨୦୦୬, ୨୦୧୧ ଓ ୨୦୧୮ରେ ମଧ୍ୟ ଏଭଳି ଦ୍ବିତୀୟ ଥର ଗଣଅଣ୍ଡାଦାନ ହୋଇଥିବା ଦେଖିବାକୁ ମିଳିଥିଲା ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଆସନ୍ତା ଏପ୍ରିଲ୍ ଦ୍ବିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟର ଅଣ୍ଡା ଫୁଟି ଛୁଆ ବାହାରିବା ନେଇ ଆଶା ପ୍ରକାଶ କରିଛନ୍ତି ପରିବେଶ ବିତ୍।

Leave A Reply

Your email address will not be published.