କ୍ଷତିରେ ଚାଲିଛି OSRTC, ଉତ୍ତର ରଖିଲେ ପରିବହନ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଗୋଟେ ପଟେ କଂଗ୍ରେସ ରଣହୁଙ୍କାର ଜାରି କରିଥିବାବେଳେ ଅନ୍ୟପଟେ ଆରମ୍ଭ ହୋଇଛି ବିଧାନସଭାରେ ପ୍ରଶ୍ନକାଳ। ବିଭିନ୍ନ ପ୍ରସଙ୍ଗରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ସରକାରୀ ବସ୍ ଅଚଳ ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ପରିବହନ ବିଭାଗର ୧୦୯ ସରକାରୀ ବସ୍ ଅଚଳ ହୋଇ ପଡ଼ିଛି। ବିଗତ ୧୦ ବର୍ଷରେ ୫୪୦ଟି ବସ୍ କିଣିଥିଲା ପରିବହନ ବିଭାଗ।ସେଥିରୁ ୧୦୯ଟି ବସ୍ ଯାନ୍ତ୍ରୀକ ତ୍ରୁଟି ପାଇଁ ଅଚଳ ହୋଇପଡିଛି।
ଅନ୍ୟପଟେ, OSRTC ବସ ନେଇ ଚିନ୍ତାଜନକ ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଆୟଠୁ ବ୍ୟୟ ବଢ଼ି ଯାଉଛି, ଘାଟାରେ ଚାଲୁଛି OSRTC। ଗତ ଦୁଇବର୍ଷ ମଧ୍ୟରେ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିଭଳି ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା । ଅନ୍ୟପଟେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ ରହିଛି ୧୮୩ କୋଟି ୬ ଲକ୍ଷ ଟଙ୍କା।