Odisha Link
Bridging the Missing Links in Odisha

ବିଶ୍ୱ ରଙ୍ଗମଞ୍ଚ ଦିବସ: ଜାଣନ୍ତୁ ଆଧୁନିକ ଓଡ଼ିଆ ନାଟକର ଇତିହାସ..

ଓଏଲ୍‌ ବ୍ୟୁରୋ: ଜୀବନ ହେଉଛି ଏକ ରଙ୍ଗମଞ୍ଚ। ପ୍ରତ୍ୟେକ ଜୀବାତ୍ମା ଜଣେ ଜଣେ ନାଟ୍ୟକାର। ଆଉ ଅଭିନୟର ପ୍ରଥମ ପାଠଶାଳା ହେଉଛି ରଙ୍ଗମଞ୍ଚ। ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଓ ଭାସ୍କର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତ ମୁନି ନାଟକକୁ ‘ପଞ୍ଚମ ବେଦ’ ଅର୍ଥାତ୍‌ ୪ ବେଦର ସାରାଂଶର ସମାହାର ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ମଣିଷର ମନୋରଞ୍ଜନର କିଛି ମାଧ୍ୟମ ନଥିଲା, ସେତେବେଳେ ପ୍ରଥମେ ଲୋକକଳା ପାଲା, ଦାସକାଠିଆ, କଣ୍ଢେଇ ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଓ ରାମଲୀଲା ଆଦି ମନୋରଞ୍ଜନର ଉଚିତ ମାଧ୍ୟମ ଥିଲା। କିନ୍ତୁ ସମୟ ସହ ଏଗୁଡ଼ିକ ପୁରୁଣା ହେବାକୁ ଲାଗିଲା। ଯୁବପିଢ଼ି ମୁହଁ ମୋଡ଼ିବାକୁ ଆରମ୍ଭ କଲେ।

ଦର୍ଶକଙ୍କୁ କିଛି ନିଆରା ମନୋରଞ୍ଜନ ଦେବା ପାଇଁ କିଛି ନାଟ୍ୟକାର ନିଜ ସୃଜନଶୀଳତାରେ ପୌରାଣିକ କଥାବସ୍ତୁରେ ରସ ଛିଞ୍ଚି ଦର୍ଶକଙ୍କୁ ପରଷିବାକୁ ଚେଷ୍ଟା କଲେ। ଏଥିରୁ ଜନ୍ମ ନେଲା ‘ଆଧୁନିକ ଓଡ଼ିଆ ନାଟକ’। ସେବେଠାରୁ ଏହା ବେଶ୍‌ ଦର୍ଶକୀୟ ଆଦୃତି ମଧ୍ୟ ପାଇଛି। ଯୁବପିଢ଼ି ପୁଣି ନାଟକ ମୁହାଉଁଛନ୍ତି।

୧୮୭୨ରେ ପ୍ରଥମ ଥର ପାଇଁ କଟକସ୍ଥିତ କ୍ୟାଥ୍‌ଲିକ୍‌ ମିସନ୍‌ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଏକ ଇଂରାଜୀ ନାଟକ ପରିବେଷଣ କରିଥିଲେ। ଓଡ଼ିଶାରେ ଓଡ଼ିଆ ନାଟକ ପରିବେଷଣକୁ ଏହାପରେ ଆଉ ୩ ବର୍ଷ ଲାଗି ଯାଇଥିଲା। ଜଗମୋହନ ଲାଲାଙ୍କ ଦ୍ୱାରା କଟକ ମହାଙ୍ଗାଠାରେ ଏକ ସ୍ଥାୟୀ ମଞ୍ଚ ତିଆରି ହେଲା ଓ ଜନ୍ମ ନେଲା ‘ଆଧୁନିକ ଓଡ଼ିଆ ନାଟକ’। ୧୮୭୭ରେ ରଚିତ ହେଲା ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’। ଏହା ଦର୍ଶକଙ୍କୁ ବେଶ୍‌ ଛୁଇଁଥିଲା। ଏହା ପରେ ଓଡ଼ିଆ ନାଟକ ଆକାଶଛୁଆଁ ସଫଳତା ହାସଲ କରିବା ସହ ଦର୍ଶକୀୟ ଆଦୃତି ପାଇଲା।

ରଙ୍ଗମଞ୍ଚ କଳାର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ରଙ୍ଗମଞ୍ଚ ପ୍ରତିଷ୍ଠାନ ଦ୍ବାରା ୧୯୬୧ରେ ଆରମ୍ଭ ହୋଇଥିଲା ବିଶ୍ବ ରଙ୍ଗ ମଞ୍ଚ ଦିବସ। ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖରେ ଆନ୍ତର୍ଜାତିକ ରଙ୍ଗମଞ୍ଚ କେନ୍ଦ୍ର ପକ୍ଷରୁ ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ଅନେକ ଜାତୀୟ ତଥା ଆନ୍ତର୍ଜାତିକ ରଙ୍ଗମଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ଯେତେବେଳେ କୌଣସି ସିନେମା ନଥିଲା, ସେତେବେଳେ ଥିଏଟର ବା ରଙ୍ଗମଞ୍ଚ ଲୋକମାନଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ସାଜିଥିଲା। ଆଜି ସିନେମା ଏହାର ଶାଖାକୁ ଅତି ଦକ୍ଷତାର ସହିତ ବିସ୍ତାର କରିଛି। ଥିଏଟର କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ସାମାଜିକ ସ୍ତରରେ ଲୋକଙ୍କୁ ଜାଗ୍ରତ କରିଥାଏ। ନାଟକ ଉଭୟ କଳାକାର ଏବଂ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡିଥାଏ। ତେବେ ନାଟକର ଏହି ଧାରାକୁ ଜୀବନ୍ତ ରଖିବା ଏବଂ ସାମାଜିକ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ‘ବିଶ୍ୱ ଥିଏଟର ଦିବସ’ ପାଳନ କରାଯାଏ।

Leave A Reply

Your email address will not be published.