ଦୂର ହେଲା ରାସନକାର୍ଡ ଦ୍ୱନ୍ଦ୍ୱ, ମନ୍ତ୍ରୀ ଦେଲେ ବଡ଼ ସୂଚନା..

ଓଏଲ୍ ବ୍ୟୁରୋ: ରାସନକାର୍ଡ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, କାହାର ବି କଟିବନି ରାସନ୍ କାର୍ଡ। ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେମିତି କିଛି ବି ହେବନି ବୋଲି ମନ୍ତ୍ରୀ କହିଛନ୍ତି।
ବିଧାନସଭାରେ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ବିଜେଡି ବିଧାୟକମାନେ କହିଥିଲେ, ରାଜ୍ୟରେ ଜଣେ ଶ୍ରମିକ ଦିନକୁ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି । ଏମିତି ହେଲେ, ଜଣେ ଶ୍ରମିକର ମାସିକ ମଜୁରି ହିସାବ କଲେ, ସବୁ ରାସନ୍ କାର୍ଡ କଟିଯିବ। ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି। ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍ଲାଇନ୍ରେ ଅଛି। ହେଲେ କାହାର ବି ରାସନ୍ କାର୍ଡ କଟିବନି ବୋଲି ମନ୍ତ୍ରୀ କହିଥିଲେ।
ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ଆହୁରି ବି କହିଛନ୍ତି, ଇକେୱାଇସି କାରଣରୁ ବହୁତ ଚୋରି ଧରା ପଡ଼ିଲା। ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ସଫଳ ଭାବେ e-KYC କରିଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ e-KYC କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ e-KYC ଯାଞ୍ଚ୍ ସରିଯାଇଛି। ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ବା ଭୂତ ହିତାଧିକାରୀଙ୍କୁ କଟାଯାଇଛି। ୨୪ ତାରିଖ ସୁଦ୍ଧା ଏହି ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଯାଉଥିଲା। ୯୧ ହଜାର ୨୮୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି। ଧରା ପଡ଼ିଥିବା ସବୁ ଜାଲ୍ ହିତାଧିକାରୀ ବିଜେଡ଼ି ଦଳର ଲୋକ ବୋଲି କହିଲେ ମନ୍ତ୍ରୀ।
ଏହା ସହ ୨୪ ମାର୍ଚ୍ଚ ୨୦୨୫ ସୁଦ୍ଧା ମୋଟ ୫ ଲକ୍ଷ ୨୩ ହଜାର ୧୨୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯାଇଥିବା କଥା କହିଛନ୍ତି ମନ୍ତ୍ରୀ। ଇଣ୍ଟରନେଟ ନଥିବା ୩୪୧ ଦୁର୍ଗମ ଜାଗାରେ କ୍ୟାମ୍ପ୍ କରି e-KYC କରାଯାଇଛି। ୧ ମାର୍ଚ୍ଚ ସୁଦ୍ଧା ନୂଆ ରାସନ କାର୍ଡ ପାଇଁ ୱେବସାଇଟ୍ ଖୋଲିଛି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୮୫ ହଜାର ୨୧ ଜଣ ଆବେଦନ କରିଛନ୍ତି। ଓଜନ ମାପ ଯନ୍ତ୍ରରେ ଠକୁଥିବା ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଉ ୨୫ ଜଣଙ୍କୁ ନୋଟିସ୍ କରାଯାଇଛି।