ଶିକ୍ଷକତା କରିବାକୁ ଅପେକ୍ଷାରତ ଆଶାୟୀଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ମିଳିବ ନିଯୁକ୍ତି ସୁଯୋଗ

ଓଏଲ୍ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗଣଶିକ୍ଷା ଶିକ୍ଷା ବିଭାଗର ଆଲୋଚନା ଜାରି ରହିଥିବାବେଳେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାନସଭାରେ ଉତ୍ତର ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲେ। ସମୁଦାୟ ୫ ହଜାର ୬୩୨ ସ୍କୁଲକୁ ମିଶ୍ରଣ କରାଯାଇଥିଲା।
୨ ହଜାର ୧୫୨ ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି। ସିଡ୍ୟୁଲ୍ ଏରିଆରେ ୨୦ ଏବଂ ନନସିଡ୍ୟୁଲ୍ ଏରିଆରେ ସର୍ବନିମ୍ନ ୪୦ ଜଣ ପିଲା ରହିଲେ ବନ୍ଦ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।
ତରବରିଆ ଭାବେ ପୂର୍ବ ସରକାର ଏପରି ନିଷ୍ପତ୍ତି ନେଇଥିଲେ। ଫଳରେ ଅନେକ ସ୍କୁଲ୍ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଥିବା ସ୍କୁଲର ଛୋଟ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ ନିଜ ଗାଁ ଛାଡି ଅନ୍ୟ ଗାଁକୁ ଏପରିକି ନଦୀନାଳ ପାର ହୋଇ ପିଲାଙ୍କୁ ସ୍କୁଲ ଯିବାକୁ ପଡିଥିଲା।
ବିଭିନ୍ନ ସ୍ଥାନରୁ ଏ ସଂପର୍କରେ ସରକାରଙ୍କ ପାଖକୁ ଅଭିଯୋଗ ମଧ୍ୟ ଆସିଥିଲା। ବର୍ତ୍ତମାନର ସରକାର ଏହାକୁ ବିଚାର କରି ନୀତିଗତ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଆମ ସରକାର ସମୟରେ ୧୮ ହଜାର ଶିକ୍ଷକ ନିଯୁକ୍ତି କରି ସାରିଛୁ। ଆଗାମୀ ଦିନରେ ଆଉ ୧୦ ହଜାର ନିଯୁକ୍ତି ଦେବୁ।