Odisha Link
Bridging the Missing Links in Odisha

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ

ଓଏଲ୍‌ ବ୍ୟୁରୋ: କଟକ ନିର୍ଗୁଣ୍ଡି ଷ୍ଟେସନରେ କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ୨୪ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଶେଷ ହେବା ପରେ ଟ୍ରାକରେ ଗଡ଼ିଛି ଟ୍ରେନ୍। କାମାକ୍ଷା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଘଟଣାରେ ରେଳ ସୁରକ୍ଷା ଆୟୁକ୍ତ(ସିଆରଏସ) ତଦନ୍ତ କରିବେ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ସୁରକ୍ଷା ଆୟୁକ୍ତ(ସିଆରଏସ) ତଦନ୍ତ ପରେ କାମାକ୍ଷା ଟ୍ରେନ ଲାଇନଚ୍ୟୁତ ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

କେଉଁ ପରିସ୍ଥିତିରେ ଟ୍ରେନ୍‌‌ ଲାଇନଚ୍ୟୁତ ହେଲା ତାହା ଜାଣିବା ପାଇଁ ରେଳ ସୁରକ୍ଷା ଆୟୁକ୍ତ(ସିଆରଏସ) ଘଟଣାସ୍ଥଳ ପରିଦର୍ଶନ ଏବଂ ତଥ୍ୟ ସଂଗ୍ରହ କରିବେ। କାମାକ୍ଷା ଏକ୍ସପ୍ରେସ ଟ୍ରେନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏକ ରିପୋର୍ଟ ପ୍ରଦାନ କରିବେ। ସିଆରଏସ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, କାମାକ୍ଷା ଏକ୍ସପ୍ରସେ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୬ ଆହତ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। କଟକର ମଙ୍ଗୁଳି ପାସେଞ୍ଜର ହଲଟ ନିକଟରେ ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ ହୋଇଥିଲା। ରେଳବାଇର ସୂଚନା ମୁତାବକ, ପୂର୍ବାହ୍ନ ୧୧ଟା ୫୪ରେ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।

ଘଟଣାସ୍ଥଳରେ ପହଞ୍ଚିଥିଲେ ରେଲୱେର ବରିଷ୍ଠ ଅଧିକାରୀ। ଆରପିଏଫ, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ତୁରନ୍ତ ପଠାଯାଇଥିଲା ହସ୍ପିଟାଲ। ୮ ଜଣ ଯାତ୍ରୀଙ୍କୁ ଏସସିବି ପଠାଯାଇଥିଲା। ସେଥିରୁ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ଯାତ୍ରୀଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ୬ ଜଣ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.