ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ଆଜି ଜଗା ଦର୍ଶନ ବନ୍ଦ

ଓଏଲ୍ ବ୍ୟୁରୋ: ଆଜି ୫ ଘଣ୍ଟା ଜଗା ଦର୍ଶନ ବନ୍ଦ। ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଜୀଉମାନଙ୍କର ଖସାପଡ଼ା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଅପରାହ୍ଣ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ମୁତାବକ, ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ୫ ଘଣ୍ଟା ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡ଼ାରେ ଘୋଡ଼ାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନୀତି ସମ୍ପାଦନ କରାଯାଇଥାଏ।
ଦେବସ୍ନାନ ପୂର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁଙ୍କ ପହଣ୍ଡି ପୂର୍ବରୁ ଖସାପଡ଼ା ନୀତି କରାଯାଇଥାଏ। ଆଜି ଖସାପଡ଼ା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତମାନେ ସୂଚନା ଦେଇଛନ୍ତି। ଏହି ନୀତି ପାଇଁ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ ଆଜିଠୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।