ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର, ୭ରେ ବର୍ଣ୍ଣବୋଧ ଉତ୍ସବ

ଓଏଲ୍ ବ୍ୟୁରୋ: ଚଳିତବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର। ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାଏଁ ରାଜ୍ୟରେ ପାଳିତ ହେଉଛି ଓଡ଼ିଆ ପକ୍ଷ ଦିବସ। ତେବେ ଓଡ଼ିଆ ପକ୍ଷ ଦିବସ ପାଳନକୁ ସମାଲୋଚନା କରିଛନ୍ତି ବିରୋଧୀ। ବିଜେଡି କହିଛି ଡବଲ ଇଞ୍ଜିନ ସରକାରରେ ଗୋଟିଏ ଇଞ୍ଜିନ ଆଉ ଗୋଟେ ଇଞ୍ଜିନର ପକ୍ଷ ଛେଦନ କରୁଛନ୍ତି। ଏମିତିରେ କି ପକ୍ଷ ପାଳନ କରିବେ ରାଜ୍ୟ ସରକାର। କଂଗ୍ରେସ ବି କରିଛି ସମାଲୋଚନା।
ଅନ୍ୟପଟେ ବିରୋଧିଙ୍କ ଅଭିଯୋଗର କଡ଼ା ଜବାବ ରଖିଛି ଶାସକ ଦଳ। ଏପ୍ରିଲ ୧ ଓଡ଼ିଶା ଦିବସରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ଯାଏଁ ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ ଦିବସ। ଓଡ଼ିଆ ପକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ ସରକାରଙ୍କ ବିଭିନ୍ନ ବିଭାଗ। ଏପ୍ରିଲ ୧ରେ ସମସ୍ତ ଜିଲ୍ଲାରେ ଧୁମଧାମରେ ପାଳନ ହେବ ଓଡ଼ିଶା ଦିବସ। ୨ ତାରିଖରେ ହେବ ଖଡ଼ିଛୁଆଁ ଦିବସ। ୩ରେ ଆମ ପୋଷାକ ଆମ ନାମ ପାଳନ ହେବ। ୪ରେ ଓଡିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା।୫ରେ ଭୁବନେଶ୍ବରରେ ଐତିହ୍ୟ ଗଣଦୌଡ଼। ୬ରେ ଦେବାଳୟ ଓ ଐତିହ୍ୟ ସ୍ଥଳିଗୁଡିକର ସ୍ବଚ୍ଚତା ଅଭିଯାନ।
ସେହିପରି ୭ରେ ବର୍ଣ୍ଣବୋଧ ଉତ୍ସବ, ୮ରେ ରକ୍ତଦାନ ଦିବସ, ୯ରେ ଆସ ବହିଟିଏ କିଣିବା ଦିବସ, ୧୦ରେ ଲୋକକଳା ପାଇଁ ଦିନଟିଏ କାର୍ୟକ୍ରମ ମାଧ୍ୟମରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ ଲୋକ କଳାଗ୍ରାମ ପ୍ରଦର୍ଶନ ହେବ।ସେହିପରି ୧୧ ତାରିଖରେ ଯୁବ ଲେଖକ ସମ୍ମୀଳନୀ, ୧୨ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରଙ୍କ ସଂପର୍କରେ ରାଜ୍ୟରେ ଆଲୋଚନାଚକ୍ର ହେବ।
ଏପ୍ରିଲ ୧୩ରେ ପାରମ୍ପରିକ ଖାଦ୍ୟ ଦିବସ ପାଳନ। ଏବଂ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ।ଏହି ଅବସରରେ ବିଭିନ୍ନ ସ୍ଥାନରେ ହୁଳୁହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା କରାଯିବ। ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ସଂସ୍କୃତି ମନ୍ତ୍ରୀ। ରାଜ୍ୟରେ ପ୍ରଥମ ଥର ବିଜେପି ସରକାରକୁ ଆସିବା ପରେ ଚଳିତ ବର୍ଷ ଧୁମ ଧାମରେ ଓଡିଆ ପକ୍ଷ ଦିବସ ପାଳନ କରାଯାଉଛି।ଏଥିପାଇଁ ୨ କୋଟି ୧୭ ଲକ୍ଷ ଟଙ୍କା ବଜେଟ ରହିଛି।