ଉତ୍କଳ ଦିବସ: ଏହି ଦିନ ଭାରତ ମାନଚିତ୍ରରେ ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଓଡ଼ିଶା

ଓଏଲ୍ ବ୍ୟୁରୋ: ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ ଉତ୍କଳ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ। ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ। ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା। ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା। ଭାରତ ମାନଚିତ୍ରରେ ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଏହି ଭୂମି। ଇତିମଧ୍ୟରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ ଲୋକେ ନିଜର ପ୍ରତିଭା, ଦକ୍ଷତା, ସାହସ ଦେଶ ତଥା ବିଦେଶରେ ପ୍ରମାଣିତ କରିଛନ୍ତି।
ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ। ଏହି ବରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ।
ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନଃବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା। ୧୯୩୬ ମସିହା ଅପ୍ରେଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହେବା ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ। ତେଣୁ ଏପ୍ରିଲ୍ ପହିଲା ଦିନଟିକୁ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଏ।
ଚଳିତବର୍ଷ ଉତ୍କଳ ଦିବସରୁ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାଏଁ ରାଜ୍ୟରେ ପାଳିତ ହେଉଛି ଓଡ଼ିଆ ପକ୍ଷ ଦିବସ। ଏପ୍ରିଲ ୧ରେ ସମସ୍ତ ଜିଲ୍ଲାରେ ଧୁମଧାମରେ ପାଳନ ହେବ ଓଡ଼ିଶା ଦିବସ। ୨ ତାରିଖରେ ହେବ ଖଡ଼ିଛୁଆଁ ଦିବସ। ୩ରେ ଆମ ପୋଷାକ ଆମ ନାମ ପାଳନ ହେବ। ୪ରେ ଓଡିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା।୫ରେ ଭୁବନେଶ୍ବରରେ ଐତିହ୍ୟ ଗଣଦୌଡ଼। ୬ରେ ଦେବାଳୟ ଓ ଐତିହ୍ୟ ସ୍ଥଳିଗୁଡିକର ସ୍ବଚ୍ଚତା ଅଭିଯାନ।
ସେହିପରି ୭ରେ ବର୍ଣ୍ଣବୋଧ ଉତ୍ସବ, ୮ରେ ରକ୍ତଦାନ ଦିବସ, ୯ରେ ଆସ ବହିଟିଏ କିଣିବା ଦିବସ, ୧୦ରେ ଲୋକକଳା ପାଇଁ ଦିନଟିଏ କାର୍ୟକ୍ରମ ମାଧ୍ୟମରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ ଲୋକ କଳାଗ୍ରାମ ପ୍ରଦର୍ଶନ ହେବ।ସେହିପରି ୧୧ ତାରିଖରେ ଯୁବ ଲେଖକ ସମ୍ମୀଳନୀ, ୧୨ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରଙ୍କ ସଂପର୍କରେ ରାଜ୍ୟରେ ଆଲୋଚନାଚକ୍ର ହେବ।
ଏପ୍ରିଲ ୧୩ରେ ପାରମ୍ପରିକ ଖାଦ୍ୟ ଦିବସ ପାଳନ। ଏବଂ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ।ଏହି ଅବସରରେ ବିଭିନ୍ନ ସ୍ଥାନରେ ହୁଳୁହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା କରାଯିବ। ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ସଂସ୍କୃତି ମନ୍ତ୍ରୀ। ରାଜ୍ୟରେ ପ୍ରଥମ ଥର ବିଜେପି ସରକାରକୁ ଆସିବା ପରେ ଚଳିତ ବର୍ଷ ଧୁମ ଧାମରେ ଓଡିଆ ପକ୍ଷ ଦିବସ ପାଳନ କରାଯାଉଛି।ଏଥିପାଇଁ ୨ କୋଟି ୧୭ ଲକ୍ଷ ଟଙ୍କା ବଜେଟ ରହିଛି।