ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା

ଓଏଲ୍ ବ୍ୟୁରୋ: ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା। ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ହାରିଲେ। ପୌରାଞ୍ଚଳର ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଆଜି ଭୋଟ ତାରିଖ ଥିବା ବେଳେ ଅନାସ୍ଥା ସପକ୍ଷରେ ୨୦ଟି ଭୋଟ୍ ପଡ଼ିଥିଲା।
ଏଥିରେ ୬ ଜଣ କାଉନସିଲର ଅନୁପସ୍ଥିତ ଥିଲେ। ସେଥି ମଧ୍ୟରୁ ବିଜେଡିରୁ ୪ ଜଣ, କଂଗେସରୁ ଜଣେ ଓ ବିଜେପିରୁ ଜଣେ ଏହି ପ୍ରକ୍ରିୟାରେ ସାମିଲ ହୋଇ ନଥିଲେ। ୨୦ଜଣଙ୍କ ମଧ୍ୟରୁ ବିଜେଡିରୁ ୧୬ ଜଣ ଓ କଂଗ୍ରେସରୁ ୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଛନ୍ତି।
୨୦୨୨ ମାର୍ଚ୍ଚ ୨୪ରେ ସଂଗୀତା ପିଙ୍ଗୁଆ ବିଜେଡି ଟିକେଟରେ ପୌର ନିର୍ବାଚନରେ ପାଖାପାଖି ୧୦ ହଜାର ଭୋଟରେ ଜିତିଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଥିଲେ।