ଆଜି ହେରା ଦଶମୀ ଯାତ୍ରା, ପରମ୍ପରା ଅନୁସାରେ ପ୍ରଭୁ ଲିଙ୍ଗରାଜଙ୍କ ରଥ ଭାଙ୍ଗିବେ ମା’ ପାର୍ବତୀ

ଓଏଲ୍ ବ୍ୟୁରୋ: ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଚଳିତବର୍ଷ ଏପ୍ରିଲ ୫ ତାରିଖରେ ଏହି ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଛି। ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ରାତିରେ ରଥ ଟାଣିଲେ ଶତାଧିକ ଶ୍ରଦ୍ଧାଳୁ। ସନ୍ଧ୍ୟାରେ ପହଣ୍ଡି ବିଜେ କଲେ ପ୍ରଭୁ। ଆଜି ହେରା ଦଶମୀ ଯାତ୍ରା। ମା ପାର୍ବତୀ ଆଜି ପ୍ରଭୁ ଲିଙ୍ଗରାଜଙ୍କ ରଥ ଭାଙ୍ଗିବେ। ରଥଯାତ୍ରାରେ ସାଙ୍ଗରେ ନଆଣିବାରୁ ରାଗରେ ମା ପାର୍ବତୀ ପ୍ରଭୁ ଲିଙ୍ଗରାଜଙ୍କ ରଥ ଭାଙ୍ଗିବା ନେଇ ପରମ୍ପରା ରହିଛି।
ରୁକୁଣା ରଥର ଇତିହାସ..
ଅଣଲେଉଟା ରୁକୁଣା ରଥ। ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ଗୁଣ୍ଡିଚା ମନ୍ଦିରଠାରେ ଦକ୍ଷିଣ ମୋଡ଼ ନେଇ ପଛକୁ ବୁଲିଥା’ନ୍ତି। କିନ୍ତୁ ରୁକୁଣା ରଥ ପଛକୁ ଘୂରିବା ବିଧି ନାହିଁ। ରାମେଶ୍ୱର ମନ୍ଦିର ନିକଟରେ ଏହି ରଥର ପଛପଟ ଦ୍ୱାରକୁ ଖୋଲିଦିଆଯାଏ ଏବଂ ରଥ ଉପରେ ସିଂହାସନକୁ ଘୂରାଇ ଦିଆଯାଏ। ତେଣୁ ରଥର ପଛଦ୍ବାର ଏମିତିରେ ସମ୍ମୁଖ ଦ୍ବାର ହୋଇଯାଏ।
ବାହୁଡ଼ା ଦିନ ଏଠାରେ ଚାରି ଅଶ୍ବଙ୍କୁ ଯୋଚାଯିବା ପରେ ରଥ ଗଡ଼େ। ଏହି ରଥର ନିର୍ମାଣ ଶୈଳୀ ସେମିତି କରାଯାଇଥାଏ। ସେଥିପାଇଁ ଏହାକୁ ଅଣଲେଉଟା ରଥ ବୋଲି କୁହାଯାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୁକୁଣା ରଥରେ ସାରଥୀ ଭାବେ ‘ବ୍ରହ୍ମା’ ବିରାଜମାନ କରିଥା’ନ୍ତି। ଏହି ରଥର ଉଚ୍ଚତା ୩୫ ଫୁଟ୍ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା। ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ।
ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି।