ନବୀନ ନିବାସରେ ବରିଷ୍ଠଙ୍କ ଭିଡ଼, ସସ୍ମିତଙ୍କ ସମର୍ଥନ ପରେ ରାଜ୍ୟ ରାଜିନୀତିରେ ଚହଳ

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜିନୀତିରେ ଚହଳ ପକାଇଛି ସସ୍ମିତଙ୍କ ସମର୍ଥନ। ସଂସଦରେ ଗୁରୁବାର ରାତିରେ ୱାକଫ୍ ବିଲ୍ ଗୃହୀତ ହେଲା ପରେ ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ କମ୍ପନ ସୃଷ୍ଟି ହୋଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ‘ଏଏନ୍ଆଇ’କୁ ପ୍ରତିକ୍ରିୟା ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି।
ଓ୍ୱାକଫ୍ ବିଲ୍ ସପକ୍ଷରେ ଭୋଟ ଦେଇ ବିବାଦରେ ଥିବା ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚା ହେବା ପରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରିବାକୁ ପହଂଚିଛନ୍ତି। ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂ ଦେଓ ଏବଂ ପ୍ରତାପ ଦେବ ଓ ପ୍ରଣବ ପ୍ରକାଶ ଦାସ ପହଂଚିଥିବା ସୂଚନା ରହିଛି।
ଅନ୍ୟପଟେ ଗତକାଲି ବିମାନବନ୍ଦରରୁ ବାହାରି ସିଧା ନବୀନ ନିବାସ ନିବାସରେ ପହଞ୍ଚିଥିଲେ କ୍ଷୁବ୍ଧ ସାଂସଦ ମୁନା ଖାନ୍। ବିମାନବନ୍ଦରରେ ରୋଷ ଝାଡ଼ିବା ପରେ ନବୀନ ନିବାସ ଯାଇଥିଲେ। ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଫେରାଦ ସଂଖ୍ୟାଲଘୁ ଭାଇମାନେ ସମସ୍ତେ ମିଶି ଫେରାଦ ହୋଇଥିବା କହିଥିଲେ। ଏହା ସହ ଗୋ ବ୍ୟାକ ପାଣ୍ଡିଆନ ନାରାରେ ନବୀନ ନିବାସ କମ୍ପିଥିଲା। ମୁନା ଖାଁ କହିଥିଲେ, ନବୀନ ବାବୁ ଆମ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ଖୁବଶୀଘ୍ର ବୁଝିବେ ବୋଲି। ସସ୍ମିତ ପାତ୍ରଙ୍କୁ ସସ୍ପେଣ୍ଡ ପାଇଁ ସମସ୍ତେ ଦାବି କରିଛନ୍ତି। ମୁଁ ମୋ ଡ୍ୟୁଟି ଠିକ୍ ଭାବେ କରିଛି ବୋଲି କହିଥିଲେ।
ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍ ଦେବା ଏବଂ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଭୋଟ ଦାନରୁ ନିବୃତ୍ତ ରହିବା ପଛରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଦେବାଶିଷ ଦାୟୀ କରିଛନ୍ତି। ଏବେ ବି ଦଳରେ ପାଣ୍ଡିଆନଙ୍କ ନିଷ୍ପତି ଚାଲୁଛି ବୋଲି ପରୋକ୍ଷରେ ସାଂସଦ ଦେବାଶିଷ ସାମନ୍ତ ରାୟ ଆକ୍ଷେପ କରିଥିଲେ।