ରାଜନୀତିରେ ୱାକଫ୍ ବିଲ: ବଡ଼ ବୟାନ ଦେଲେ ବିଜେଡି ନେତା..

ଓଏଲ୍ ବ୍ୟୁରୋ: ୱାକଫ୍ ବିଲକୁ ନେଇ ଥମୁନି ବିଜେଡି ବିବାଦ। ପୁଣି ସୋସିଆଲ ମିଡିଆରେ ପୋଷ୍ଟ କରି ସାଂସଦ ଦେବାଶିଷ ସାମନ୍ତରାୟ ଅସନ୍ତୋଷ ଜାହିର କରିଛନ୍ତି। ଏହା ପରେ ବିଜେଡି ନେତା ଅଂଶୁମାନ ମହାନ୍ତି ବୟାନ ରଖିଛନ୍ତି। ସେ କହିଛନ୍ତି, ଆମେ ଏନେଇ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ। ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସୁପ୍ରିମୋଙ୍କୁ ଅବଗତ କରିଛୁ। ଯଦି ଡାକନ୍ତି ଆମେ ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ। ଏହି ଘଟଣା ପଛରେ କିଏ ଅଛି, କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ଯଦି ଆମ ନେତା ଆମକୁ ଡାକିବେ ନିଶ୍ଚୟ ଯିବୁ। ୪ ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ କରି ସାଂସଦ ଦେବାଶିଷ ସାମନ୍ତରାୟ ଲେଖିଛନ୍ତି, ନିକଟରେ, ଯେଉଁମାନେ ବିଜୁ ଜନତା ଦଳରେ ଯୋଗ ଦେଇ କିଛି ପଦ ପଦବୀ ପାଇଛନ୍ତି, ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନ ବାବୁଙ୍କ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି। ଦଳ ପ୍ରତିଷ୍ଠା ହେବା ଦିନରୁ ଲକ୍ଷ ଲକ୍ଷ କର୍ମୀ ଓ ବରିଷ୍ଠ ନେତା ଅଜସ୍ର ସଂଗ୍ରାମ ଓ ସଂଘର୍ଷ କରି ଏକ ଆଞ୍ଚଳିକ ଦଳକୁ ଜାତୀୟସ୍ତରରେ ପହଞ୍ଚେଇ ପାରିଥିଲେ। ମାତ୍ର ଏବେର କିଛି ନେତା ଓ ନେତ୍ରୀମାନେ ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶାପ୍ରତି ପ୍ରତିବଦ୍ଧତା ସହ ଅପରିଚିତ।
ସେମାନେ ଆଉ କାହା ଈଶାରାରେ ପରିଚାଳିତ। ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହା ଯାଇପାରେ, ନା ସେମାନେ ଦଳର ନା ସେମାନେ ଓଡ଼ିଶାର ନା ସେମାନେ ନବୀନ ପଟ୍ଟନାୟକଙ୍କର। ଶେଷରେ ଏତିକି କହିବି, ଗତ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ‘ ଓଡ଼ିଆ ଅସ୍ମିତା ‘ ପାଇଁ ହେଇଥିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ। ଆମ ଅସ୍ମିତା ରକ୍ଷା କରିବା ଆମର ମୂଳଲକ୍ଷ। ଜୟ ଜଗନ୍ନାଥ।