ଖଣି ଚୋରି ମାମଲା: ସିବିଆଇ ତଦନ୍ତ ଦାବି କଲେ ବିଧାୟକ

ଓଏଲ୍ ବ୍ୟୁରୋ: ସୁନ୍ଦରଗଡ ତେଲେନଡିହି ଖଣି ଚୋରି ମାମଲାକୁ ନେଇ ଜିଲ୍ଲାପାଳ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଖଣି ଚୋରି ମାମଲାର ତଦନ୍ତ ପାଇଁ ନୋଟିସ୍ ଜାରି କଲେ ସୁନ୍ଦରଗଡ ଜିଲ୍ଲାପାଳ। ଉପଜିଲ୍ଲାପାଳ ଓ ଡେପୁଟି ଡାଇରେକ୍ଟରଙ୍କୁ ନୋଟିସ୍ ଦିଆଯାଇଛି। ହେମଗିରି ତହସିଲଦାରଙ୍କୁ ବି ତଦନ୍ତ ପାଇଁ ନୋଟିସ୍ ଦିଆଯାଇଛି। ଏହା ସହ ୩ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସବୁ କୋଲ ୱାସେରି ଓ ଡିପୋ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଖଣି ଚୋରି ମାମଲାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ସିବିଆଇ ତଦନ୍ତ ଦାବି କରିଛନ୍ତି।
ଅନ୍ୟପଟେ, ସୁନ୍ଦରଗଡ଼ ଖଣି ଚୋରି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ। ଖଣି ଚୋରି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଅଭିଯୋଗ। ସୁନ୍ଦରଗଡ଼ ହେମଗିରିରେ ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଦାବି କରିଛନ୍ତି।
ଏହି ଖଣି ଚୋରି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି କୁସୁମ ଟେଟେ। ବର୍ଷ ବର୍ଷ ଧରି ସୁନ୍ଦରଗଡ଼ରେ କଳା ହୀରାର କଳା କାରବାର ଚାଲିଛି। ଏଥିରେ ବଡ଼ ବଡ଼ ମାଫିଆ, କିଛି ବରିଷ୍ଠ ରାଜନେତା ଓ ସରକାରୀ ବାବୁ ସାମିଲ ଥିବାରୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପୂର୍ବତନ ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।