ଖଣି ଚୋରି ମାମଲା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଉପବାଚସ୍ପତି

ଓଏଲ୍ ବ୍ୟୁରୋ: ସୁନ୍ଦରଗଡ ଖଣି ଚୋରି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପବାଚସ୍ପତି ଭବାନୀ ଭୋଇ ଅବଗତ କରାଇଛନ୍ତି। ହେମଗିରିରେ କୋଇଲା ଓ ବଣାଇରେ ଆଇରନ, ମାଂଗାନିଜ ଖୋଲାଖୋଲି ଚୋରି ହେଉଥିବା ସେ କହିଛନ୍ତି। ସୁନ୍ଦରଗଡ଼ରେ ଖଣି ଚୋରିରେ ଜିଲ୍ଲା ପ୍ରଶାସନର ବଡ଼ ବଡ଼ ଅଧିକାରୀ, ଜଙ୍ଗଲ ବିଭାଗର ଅଧିକାରୀ, ଖଣି ବିଭାଗର ଅଧିକାରୀ ସିଧାସଳଖ ସମ୍ପୃକ୍ତ ଥିବା ଦର୍ଶାଇଛନ୍ତି ଉପବାଚସ୍ପତି। ବେଆଇନ ଖଣି ଖନନ ଓ କୋଇଲା ଉତ୍ତୋଳନ କରୁଛନ୍ତି ମାଫିଆ।
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉପବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏଥିରେ ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା କର୍ମଚାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହା ସହ ରାଜ୍ୟର ସମସ୍ତ ସୀମାନ୍ତ ଅଞ୍ଚଳରେ ଜୋରଦାର ଚେକିଂ ପାଇଁ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପଟେ, ସୁନ୍ଦରଗଡ ତେଲେନଡିହି ଖଣି ଚୋରି ମାମଲାକୁ ନେଇ ଜିଲ୍ଲାପାଳ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଖଣି ଚୋରି ମାମଲାର ତଦନ୍ତ ପାଇଁ ନୋଟିସ୍ ଜାରି କଲେ ସୁନ୍ଦରଗଡ ଜିଲ୍ଲାପାଳ। ଉପଜିଲ୍ଲାପାଳ ଓ ଡେପୁଟି ଡାଇରେକ୍ଟରଙ୍କୁ ନୋଟିସ୍ ଦିଆଯାଇଛି। ହେମଗିରି ତହସିଲଦାରଙ୍କୁ ବି ତଦନ୍ତ ପାଇଁ ନୋଟିସ୍ ଦିଆଯାଇଛି। ଏହା ସହ ୩ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସବୁ କୋଲ ୱାସେରି ଓ ଡିପୋ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଖଣି ଚୋରି ମାମଲାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ସିବିଆଇ ତଦନ୍ତ ଦାବି କରିଛନ୍ତି।