Odisha Link
Bridging the Missing Links in Odisha

ଆଜି ଛେନାପୋଡ଼ ଦିବସ: ପ୍ରସ୍ତୁତି ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ପ୍ରୟାସ

ଓଏଲ୍ ବ୍ୟୁରୋ: ଆଜି ପାଳିତ ହେଉଛି ଚତୁର୍ଥ ଛେନାପୋଡ଼ ଦିବସ। ଭୁବନେଶ୍ବରରେ ଜୟଦେବ ଭବନ ପରିସରରେ ଧୁମଧାମରେ ପାଳନ କରାଯାଉଛି। କେବଳ ଉତ୍ସବ ପାଳନ ନୁହେଁ, ଛେନାପୋଡ଼କୁ ଜିଆଇ ମାନ୍ୟତା ଏବଂ ଛେନାପୋଡ଼ କାରିଗରଙ୍କ ଲାଗି ସ୍ବତନ୍ତ୍ର କ୍ଲଷ୍ଟର ନିର୍ମାଣ ସହ ଛେନାପୋଡ଼ର ପ୍ରସ୍ତୁତି ଓ ସଂରକ୍ଷଣ ଲାଗି ଅଧିକ ଗବେଷଣା ଓ ପ୍ରୟାସ ପାଇଁ ମଞ୍ଚ ଦାବି କରିଛି।

ଏଥର ଉତ୍ସବ ଦିନ ୧୦ଟା ୩୦ରେ ଆରମ୍ଭ ହୋଇ ୨ଟା ଯାଏଁ ଚାଲିବ। ଭୁବନେଶ୍ବରର ଜୟଦେବ ଭବନ ପରିସରରେ ହେବାକୁ ଥିବା ଏ ଉତ୍ସବରେ ଚଢ଼େୟା ନାଚ, ଘୁଡ଼ୁକି ଓ ସଂକୀର୍ତ୍ତନ ଭଳି ନୟାଗଡ଼ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଜଣେ ଛେନାପୋଡ଼ କାରିଗରଙ୍କୁ ମଧ୍ୟ ବିକାଶ ମଞ୍ଚ ପକ୍ଷରୁ ସମ୍ମାନିତ କରାଯିବ।

ସୂଚନାଯୋଗ୍ୟ, ୨୦୨୨ ମସିହାଠାରୁ ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇ ଆସୁଥିବା ଛେନାପୋଡ଼ ଦିବସ ଚାରିବର୍ଷ ଭିତରେ ଛେନାପୋଡ଼ ଦିବସ ଏକ ଲୋକ ଉତ୍ସବରେ ପରିଣତ ହୋଇଛି। ୨୦୨୨ରେ ଏକକ ଉଦ୍ୟମରେ ହୋଇଥିବା ଏ ଦିବସ ପାଳନରେ ୨୦୨୩ ମସିହାରେ ନୟାଗଡ଼ ଜିଲ୍ଲା ପ୍ରଶାସନ ସାମିଲ ହୋଇଥିଲା। ପରବର୍ଷ, ଅର୍ଥାତ ୨୦୨୪ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ବୁଦ୍ଧିଜୀବୀ, ରାଜନେତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଛେନାପୋଡ଼ ଦିବସକୁ ପାଳନ କରୁଛନ୍ତି।

କେବଳ ଦିବସ ପାଳନ ମଧ୍ୟରେ ଏହାକୁ ସୀମିତ ନ ରଖି ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ସ୍ମୃତି ରକ୍ଷା, ଦଶପଲ୍ଲା ଓ ନୟାଗଡ଼ରେ ଛେନାପୋଡ଼ କ୍ଲଷ୍ଟର ନିର୍ମାଣକୁ ଗୁରୁତ୍ବ ଦିଆଯାଉ ବୋଲି ମଞ୍ଚ ଦାବି କରିଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିବାବେଳେ ଏହାକୁ ତ୍ବରାନ୍ବିତ କରାଇବାକୁ ମଞ୍ଚ ସରକାରଙ୍କ ପାଖରେ ଦାବି ରଖିଛି।

Leave A Reply

Your email address will not be published.