ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁ ଚୋରି ଘଟଣା: ବାଲେଶ୍ୱରରୁ ଉଦ୍ଧାର ହେଲା ଶିଶୁପୁତ୍ର

ଓଏଲ୍ ବ୍ୟୁରୋ: ବାଲେଶ୍ବରରୁ ମିଳିଲା ଅପହୃତ ଶିଶୁ ପୁତ୍ର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା। ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ର ଅପହୃତ ହୋଇଥିଲା। ଜଣେ ଦୃଷ୍ଟି ବାଧିତ ମାଆଙ୍କ କୋଳରୁ ଉଠାଇ ନେଇଥିଲା ଅପହର୍ତ୍ତା। ଘଟଣାର ସିସିଟିଭି ଚିତ୍ର ଆଜି ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୁଲିସ। ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୁଲିସ। ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା।
ଖଡଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ସିସିଟିଭି ଫୁଟେଜ ପଠାଯାଇଥିଲା। ଟ୍ରେନ ଯୋଗେ ଅପହରଣକାରୀ ରାଜ୍ୟ ବାହାରକୁ ଶିଶୁଟିକୁ ନେଇଯାଇଥିବା ସନ୍ଦେହ କରାଯାଉଥିଲା। ଏକାଧିକ ଟିମ୍ ଗଠନ କରି ତଦନ୍ତ କରୁଥିଲା ପୁଲିସ। ଏପଟେ ପୁଅକୁ ଝୁରି ଝୁରି ଦିବ୍ୟାଙ୍ଗ ମାଆ ଆଖିରୁ ଲୁହ ଶୁଖୁନି। ଗତ ପାଞ୍ଚ ବର୍ଷ ହେବ ଶିଶୁର ମାଆ ରାମ ମନ୍ଦିର ଆଗରେ ଭିକ୍ଷା ବୃତ୍ତି କରୁଛନ୍ତି। ହେଲେ ପୁଅ ଚୋରି ପରେ ମାଆର ଦୁଃଖ ଆହୁରି ବଢି ଯାଇଥିଲା।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା। ବିସ୍କୁଟ, ଜୁସ୍ ଏବଂ ମୋବାଇଲ ଲୋଭ ଦଖାଇ ମାଆ କୋଳରୁ ଶିଶୁ ପୁତ୍ରକୁ ନେଇ ଚାଲିଗଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆଣିଥିଲେ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟି ବାଧିତ ମହିଳା। ରାତି ପ୍ରାୟ ୨ଟା ବେଳେ ଏଭଳି ଘଟଣା ଘଟିଥିଲା।
ମହିଳା ଜଣକ ଏ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ଯେତେବେଳେ ନିଦ ଭାଙ୍ଗିଲା ଶିଶୁପୁତ୍ରଟିକୁ ସେ ପାଇନଥିଲେ। ଶିଶୁପୁତ୍ର ନିଖୋଜ ଥିବା ନେଇ ସେ ଥାନାରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନଭିନ ଆରମ୍ଭ କରିଥିଲା। ଶେଷରେ ବାଲେଶ୍ବରରୁ ଅପହୃତ ଶିଶୁ ପୁତ୍ରକୁ ପୁଲିସ ଉଦ୍ଧାର କରିଛି।