Odisha Link
Bridging the Missing Links in Odisha

ଖୁବଶୀଘ୍ର ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ; ଦୌଡ଼ରେ ୮ ନେତା

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଚଳିତ ମାସର ୩ୟ ସପ୍ତାହରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରେ ବିଜେପି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ରବିବାର ମଧ୍ୟରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇପାରେ। ଏଥିସହିତ ଦଳର ସଙ୍ଗଠନରେ ବଡ଼ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଦଳୀୟ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନଜରରେ ରଖି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ମଙ୍ଗଳବାର ରାତିରେ ପାଖାପାଖି ୩ ଘଣ୍ଟାର ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ। ସୂଚନାଥାଉକି, ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗପୁର ଗସ୍ତରେ ଥିବା ବେଳେ ଆରଏସ୍‌ଏସ୍‌ ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ସାକ୍ଷାତ କରିଥିଲେ। ନାଗପୁର ଗସ୍ତରୁ ଫେରିବା ପରେ ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂ ଓ ସଙ୍ଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷଙ୍କ ସହିତ ସାଙ୍ଗଠନିକ ନିର୍ବାଚନକୁ ନେଇ ଆଲୋଚନା କରିଥିଲେ।

ସେହି ପରଠୁ ଗୋଟିଏ ପରେ ଗୋଟିଏ ରାଜ୍ୟର ବିଜେପି ଅଧ୍ୟକ୍ଷଙ୍କ ନାମ ଘୋଷଣା କରୁଛି ବିଜେପି। ବିଜେପି ଆନୁଷ୍ଠାନିକ ଭାବେ କିଛି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିନଥିବା ବେଳେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା କରି କରି ସାରିଥିବା ସୂଚନା ରହିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ୧୯ଟି ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ପୂର୍ଣ୍ଣ ହେବା ଜରୁରୀ। ଯାହା ବିଜେପି କରି ସାରିଛି।

ଜେପି ନଡ୍ଡା ୨୦୧୯ ମସିହାରେ ବିଜେପିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ପରେ ୨୦୨୦ ଜାନୁଆରୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଲୋକସଭା ନିର୍ବାଚନକୁ ନଜରରେ ରଖି ତାଙ୍କ କାର୍ଯ୍ୟକାଳ ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ସେ କେନ୍ଦ୍ରମନ୍ତ୍ରୀ ଥିବାରୁ ପାର୍ଟିକୁ ନୂଆ ଅଧ୍ୟକ୍ଷ ଚୟନ କରିବା ଜରୁରୀ। ବିଗତ ୫ ବର୍ଷ ହେଲାଣି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି ଜେପି ନଡ୍ଡା।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଏହି ସବୁ ନେତା:

ଧର୍ମେନ୍ଦ୍ର ପ୍ରଧାନ:
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି। ବିଜେପିର ଜଣେ ଅନୁଭବୀ ସଙ୍ଗଠକ ଭାବେ ସେ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଟିମ୍‌ର ଭରସାଯୋଗ୍ୟ ସଦସ୍ୟ ହେଉଛନ୍ତି ଶ୍ରୀ ପ୍ରଧାନ। ୪୦ ବର୍ଷର ରାଜନୈତିକ ଅନୁୁଭବ ଓ ବଡ଼ ଓବିସି ନେତା ହେଉଛନ୍ତି ଶ୍ରୀ ପ୍ରଧାନ। ୧୪ ବର୍ଷ ବୟସରେ ଏବିଭିପି ସହିତ ଯୋଡ଼ି ହୋଇଥିଲେ। ୨୦୧୦ ମସିହାରେ ବିଜେପି ରାଷ୍ଟ୍ରୀୟ ମହାସଚିବ ହୋଇଥିଲେ। ବିଜେପି ଓ ଆରଏସ୍‌ଏସ୍‌ରେ ତାଙ୍କର ଦବଦବା ରହିଛି। ଯାହାକୁ ନଜରରେ ରଖି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଶିବରାଜ ସିଂ ଚୌହାନ:
ଶିବରାଜ ସିଂ ଚୌହାନ ୬ଥର ଲୋକସଭା ନିର୍ବାଚନ ଜିତିଥିବା ବେଳେ ୪ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଥିବା ବେଳେ ଲାଡଲୀ ବହନା ଯୋଜନା ଆଗତ କରିଥିଲେ ଯାହା ନିର୍ବାଚନରେ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହୋଇଥିଲା। ଏବେ ଏହି ଯୋଜନା ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ। ୧୩ ବର୍ଷ ବୟସରେ ଆରଏସ୍‌ଏସ୍‌ ସହିତ ଯୋଡ଼ି ହୋଇଥିଲେ ଆଉ ଦେଶରେ ଏମରଜେନ୍ସି ହୋଇଥିବା ସମୟରେ କାରାଗାର ମଧ୍ୟ ଯାଇଥିଲେ। ଆରଏସ୍‌ଏସ୍‌ ତାଲିକାର ଶିବରାଜ ସବା ଆଗରେ ଥିବା ଚର୍ଚ୍ଚା ହେଉଛି।

ସେହିପରି ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷର ଦୌଡ଼ରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ,ପାର୍ଟି ମହାସଚିବ ବିନୋଦ ତାୱଡେଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ନାଁ ମଧ୍ୟ ପଲିଟିକାଲ ସର୍କଲରେ ନିଆଯାଇଛି। ସେହିପରି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ, ବିଜେପିର ପ୍ରଭାରୀ ସୁନୀଲ ବଂସଲଙ୍କ ନାମ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ରହିଛି। ସୂତ୍ରାନୁସାରେ ,ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭୂପେନ୍ଦ୍ର ଯାଦବଙ୍କ ମଧ୍ୟରୁ କେହି ବି ଜଣେ ହେବା ନେଇ ସମ୍ଭାବନା ଜୋର ଧରିଛି।କହି ରଖୁଛୁ କି, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାଁ ଗତ ସଙ୍ଗଠନାତ୍ମକ ନିର୍ବାଚନରେ ମଧ୍ୟ ଚର୍ଚ୍ଚାରେ ଥିଲା, କିନ୍ତୁ ଜେପି ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ।

Leave A Reply

Your email address will not be published.