ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଭେଟିଦେବେ ୪ହଜାର କୋଟିର ପ୍ରକଳ୍ପ

ଓଏଲ୍ ବ୍ୟୁରୋ: ରାଜ୍ୟର ସଡ଼କ ଭିିତ୍ତିଭୂମିକୁ ମିଳିବ ବଡ଼ ଧରଣର ପ୍ରୋତ୍ସାହନ। ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାବାସୀଙ୍କୁ ଦେବେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଭେଟି।
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ରାଜ୍ୟରେ ଚାଲିଥିବା ରାଜପଥ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡ. ହରେକୃଷ୍ଣ ମହତାବ ସ୍ମାରକୀ ବକୃତାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
କଟକ ପରେ ଭୁବନେଶ୍ବରରେ ଥିବା ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ କେନ୍ଦ୍ରମନ୍ତ୍ରୀ। ଏହାପରେ କିସ୍ ପରିଦର୍ଶନ କରିବାକୁ ଯିବେ ନୀତିନ ଗଡ଼କରୀ। ପରେ ଶ୍ରୀ ଗଡ଼କରୀ ବରମୁଣ୍ଡା ଯାଇ ପାଖାପାଖି ୩୨୦୦ କୋଟି ଟଙ୍କାର ୧୭ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ରାୟ ୮୨୦ କୋଟି ଟଙ୍କାର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାଳଚେରରୁ କାମାକ୍ଷାନଗର ଜାତୀୟ ରାଜପଥ-୧୪୯ ଓ ୫୩କୁ ୭୯୫ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଓ ବଡ଼ଚଣାଠାରେ ୪୬ କୋଟି ଟଙ୍କାରେ ଅଣ୍ଡର ପାସ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
୯୭୩ କୋଟି ଟଙ୍କା ବ୍ୟୟରେ ବଅଁରପାଳ-ଗୋଡିବନ୍ଧ ୪ ଲେନ୍ ନିର୍ମାଣ, ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ଘାଟ ଅଂଶକୁ ୭୧୮ କୋଟି ଟଙ୍କାରେ ପ୍ରଶସ୍ତୀକରଣ, ମଙ୍ଗଳପୁରରୁ କୟାଁଙ୍ଗୋଲା ପର୍ଯ୍ୟନ୍ତ ୧୦ ନମ୍ବର ଜାତୀୟ ରାଜପଥକୁ ୩୭୪ କୋଟି ଟଙ୍କାରେ ପ୍ରଶସ୍ତୀକରଣ ଓ ଜରିମୁଳିକୁ ସଂଯୋଗ କରୁଥିବା ପୂଜାରୀପାଲ୍ଲୀ ଘାଟିରେ ମହାନଦୀ ଉପରେ ୨୭୩.୯୪ କୋଟି ଟଙ୍କାରେ ପୋଲ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।