ଓଡ଼ିଶା ପାଇଁ ଗର୍ବ: ଶ୍ରେଷ୍ଠ ଜିଲ୍ଲା ଭାବେ କୋରାପୁଟକୁ ମିଳିଲା ପିଏମ୍ ଆୱାର୍ଡ

ଓଏଲ୍ ବ୍ୟୁରୋ: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ପିଏମ ଆୱାର୍ଡ଼ ୨୦୨୫ରେ ସମ୍ମାନିତ ହୋଇଛି କୋରାପୁଟ ଜିଲ୍ଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି ଭାସନ ପ୍ରଧାନମନ୍ତ୍ରୀ ଆୱାର୍ଡ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ସୋମବାର ଆୟୋଜିତ ସିଭିଲ ସର୍ଭିସ ଡେ’ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଏହି ଆୱାର୍ଡ଼ ପ୍ରଦାନ କରିଛନ୍ତି।
ଗତ ୧୮ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ୧୧ଟି କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା କରି ହିତାଧିକାରୀଙ୍କ ନିକଟରେ ସୁଫଳ ପହଞ୍ଚାଇ ଥିବାରୁ କୋରାପୁଟ ଜିଲା ଏହି ପୁରସ୍କାର ପାଇବା ପାଇ ଯୋଗ୍ୟ ବିବେଚିତ ହେଇଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ , ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ପିଏମ୍ ବିଶ୍ୱକର୍ମା ଯୋଜନା, କିଷାନ କାର୍ଡ, ମିଶନ ଟୀକାକରଣ ,ପିଏମ୍ ଜନ ଆରୋଗ୍ୟ ଯୋଜନା, ହର୍ ଘର୍ ଜଳ୍ (ଜଳ ଜୀବନ ମିଶନ), ପିଏମ୍ ସହରାଞ୍ଚଳ ଆବାସ ଓ ପିଏମ୍ ଗ୍ରାମାଞ୍ଚଳ ଆବାସ ଯୋଜନା ଆଦି କାର୍ଯ୍ୟକାରୀ କରିବା ସହ ସାଧାରଣ ଜନତା ଓ ପ୍ରଶାସନର ସହଭାଗିତାରେ ନିଜ ଦକ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜିଲା ଭାବେ ମନୋନୀତ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମ୍ ଆସି ଅନୁଧ୍ୟାନ କରିବା ପରେ ଏହି ପୁରସ୍କାର ପାଇବାକୁ କୋରାପୁଟ ଜିଲା ଯୋଗ୍ୟ ବିବେଚିତ ହୋଇଥିଲା।
ଭାରତ ବର୍ଷର ୭୧୦ଟି ଜିଲ୍ଲା ମଧ୍ୟରୁ କେବଳ ୫ ଜିଲା ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏହି ୫ଟି ଜିଲା ମଧ୍ୟରେ ଓଡ଼ିଶାର କୋରାପୁଟ ସ୍ଥାନ ପାଇଛି। ଏଥିପାଇଁ କୋରାପୁଟ ଜିଲାପାଳ ଜିଲାର ସମସ୍ତ ଅଧିକାରୀ, କର୍ମଚାରୀ ଓ ଜିଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଶାସନିକ ସେବା ଦିବସରେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ସମ୍ମାନିତ ହୋଇଛନ୍ତି।