Odisha Link
Bridging the Missing Links in Odisha

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା, ଶିମିଳିପାଳରେ ଅଛନ୍ତି ୪୦ ମହାବଳ

ଓଏଲ୍‌ ବ୍ୟୁରୋ: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା। ଏହା ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି। ଶିମିଳିପାଳରେ ଅଛନ୍ତି ୪୦ ମହାବଳ। ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା’ ସୂଚନା ଦେଇଛନ୍ତି। ଶିମିଳିପାଳରେ ୪୦ ମହାବଳରୁ ୬ଟି ଶାବକ ଅଛନ୍ତି। ଚଳିତ ବର୍ଷ କ୍ୟାମେରା ଟ୍ରାପ୍‌ରୁ ଏହା ସ୍ପଷ୍ଟ ହୋଇଛି। ୧୩ ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ଅଛନ୍ତି। ଅନ୍ୟ ୨ଟି ମହାବଳ ପୁରୁଷ ନା ବାଘୁଣୀ ସ୍ପଷ୍ଟ ହୋଇନି। ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ଟି କଳା ମହାବଳ। ଆଗାମୀ ୧୦ ବର୍ଷରେ ଏହି ସଂଖା ୧୦୦କୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।

ସୂଚନା ଅନୁସାରେ, ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା। ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣକୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ।

ସେହିପରି ଦକ୍ଷିଣ ପଶ୍ଚିମ ସୀମା ଭାବରେ ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଚିହ୍ନିତ ହୋଇଛି। ସେହିଠାରୁ ପୁଣି ପଶ୍ଚିମକୁ ବେଲପାଣି ନାଳ ଠାରୁ ଧୁଣ୍ଡୁବସା ଜଳପ୍ରପାତ ପର୍ଯ୍ୟନ୍ତ ରହିଛି। ସେହିପରି ଜାତୀୟ ଉଦ୍ୟାନର ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି। ଦକ୍ଷିଣକୁ ଟାଙ୍ଗି ପାହାଡ଼, ବନିଆପଡ଼ା ନଦୀ ଦେଇ ପଶ୍ଚିମକୁ ମଙ୍କଡିଆ ପାହାଡ଼ ଦେଇ ନଛିପୁର ଓ ଭଞ୍ଜବସା ସହିତ ସଂଯୋଗ ହୋଇଛି।

Leave A Reply

Your email address will not be published.