୯୦ ବର୍ଷରେ ଓଡ଼ିଆ ସିନେମା

ଓଏଲ୍ ବ୍ୟୁରୋ: ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ୮୯ବର୍ଷ ପୂରିଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଏକ ଆଶାର ମଞ୍ଜି ବୁଣିଥିଲା। ହେଲେ ଅବସୋସର କଥା ୯୦ବର୍ଷରେ ବି ଆଜି ଓଡ଼ିଆ ଚଳଚ୍ଚିତ୍ରକୁ ଅନେକ ପ୍ରଶ୍ନ ଘେରି ରହିଛି।
ନିମ୍ନମାନର ଚଳଚ୍ଚିତ୍ର, ବିଷୟବସ୍ତୁ, କପି ଆଦିର ଅପବାଦରୁ ଧୀରେ ଧୀରେ ପୁନଃ ମୁଣ୍ଡ ଟେକୁଛି ଚଳଚ୍ଚିତ୍ର ଜଗତ। ସମ୍ପ୍ରତି ଯୁବ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ସିନେମା। ଯଦିଓ ସିନେମା ଭଲ ଚାଲୁଛି, କିନ୍ତୁ ପ୍ରଯୋଜକ ପ୍ରେକ୍ଷାଳୟରୁ ଟଙ୍କା ପାଉନାହାନ୍ତି।
ପ୍ରାପ୍ୟ ପାଇବାକୁ ବେଳେବେଳେ ବର୍ଷ ବର୍ଷ ବିତି ଯାଉଛି। ଅର୍ଥ ଅଭାବରୁ କଳାକାରଙ୍କୁ ମୂଲ୍ୟ ଦେଇପାରୁ ନାହାନ୍ତି ପ୍ରଯୋଜକ। ଫଳରେ ଟଙ୍କା ମିଳୁ ନ ଥିବା ଏବଂ ନିମ୍ନମାନର ବଜେଟ ପାଇଁ କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଛି।
ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଚଳଚ୍ଚିତ୍ର ପ୍ରତି ସରକାର, ସଂସ୍କୃତି ବିଭାଗ ଏବଂ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସେତେଟା ଧ୍ୟାନ ଦେଉ ନ ଥିବା ଜଣାପଡ଼ିଛି। ପ୍ରେକ୍ଷାଳୟ ସମସ୍ୟା, ସବ୍ସିଡି, ଆର୍ଥିକ ସହାୟତା ଭିତରେ ଏବେ ବି ଓଡ଼ିଆ ଚଳଚ୍ଚିତ୍ର ଜଗତ ଛନ୍ଦି ହୋଇ ରହିଛି।
ଅନେକ ବାଦବିବାଦ ମଧ୍ୟରେ ପୁଣି ଥରେ ଯୁବ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ସିନେମା। ସରକାରଙ୍କ ସହାୟତା ବୃଦ୍ଧି ପାଇଲେ, ଦର୍ଶକଙ୍କ ମନଛୁଆଁ କାହାଣୀଟେ ହେଲେ, ଓଡ଼ିଆ ସିନେମାର ସ୍ଥିତି ବଦଳିବାର ସମ୍ଭାବନା ରହିଛି। ନୂଆ ସରକାରଙ୍କ ସହାୟତା ବୃଦ୍ଧି ପାଇଲେ ଓଡ଼ିଆ ସିନେମା ପୁଣି ଆଦୃତି ଲାଭ ପାଇବ ବୋଲି ଚର୍ଚ୍ଚା ଲାଗି ରହିଛି ।