କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା; ବିଭିନ୍ନ ସ୍ଥାନରେ ପିକେଟିଂ ସହ ବିକ୍ଷୋଭ

ଓଏଲ୍ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ। ଏସବୁ ମଧ୍ୟରେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର, ରାଜ୍ୟର ବିଭିନ୍ନ କୃଷକ ସଙ୍ଗଠନ। ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ ସହ ବିକ୍ଷୋଭ ଆରମ୍ଭ ହୋଇଛି। ରାଉରକେଲା ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିବାବେଳେ ବସ୍ ଚଳାଚଳ ସହ ଖଣି ଖାଦାନ ବନ୍ଦ ରହିଛି। ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ।
କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି। ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ଦାମକୁ ଆଇନସିଦ୍ଧ କରିବା, ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବନ୍ଦର ପ୍ରଭାବ ବିଶେଷ ଭାବେ ଦିଲ୍ଲୀ, ହରିଆଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିପାରେ।