ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତି: ନିର୍ବାଚନ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ମିଳିବ ମାଗଣା ସ୍ୱାସ୍ଥ୍ୟସେବା

ଓଏଲ୍ ବ୍ୟୁରୋ: ବାଜିଲାଣି ସାଧାରଣ ନିର୍ବାଚନ ବିଗୁଲ। ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ନେଇ ଓଡ଼ିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଓଡ଼ିଶା ଆସି ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଥିଲା। ଗତକାଲିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନିର୍ବାଚନ କମିଶନଙ୍କ ସମେତ ୮ଜଣିଆ ଦଳ। ନିର୍ବାଚନୀ ସମୀକ୍ଷା କରିବା ସହିତ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମୀକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚନା ଜାରି ହୋଇଛି।
ଅନ୍ୟପଟେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ମାଗଣା ତଥା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧିନରେ ଅନୁବନ୍ଧିତ ହୋଇଥିବା ସମସ୍ତ ଘରୋଇ ହସ୍ପିଟାଲମାନଙ୍କରେ ଏହି ଚିକିତ୍ସା ଦେବା ଯୋଗାଇ ଦିଆଯିବ।
ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ପର୍ଯ୍ୟବେକ୍ଷକ, ପୁଲିସ କର୍ମଚାରୀ ଓ ପୋଲିଂ କର୍ମଚାରୀ ଆଦି ସମସ୍ତଙ୍କୁ ଏହି ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏ ବାବଦରେ ହସ୍ପିଟାଲଗୁଡ଼ିକ ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ବିଲ୍ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଆବେଦନ କରିପାରିବେ। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।