ବିଜେଡିରେ ମିଶିଲେ ଅଂଶୁମାନ ମହାନ୍ତି

ଓଏଲ୍ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଶକ୍ତି ବଢ଼େଇବାରେ ଲାଗିଛି ଶାସକ ବିଜୁ ଜନତା ଦଳ। ନିକଟରେ କେନ୍ଦ୍ରପଡ଼ାର ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ହାତ ଛାଡ଼ିଥିଲେ। ଆଜି ବିଧିବଦ୍ଧ ଭାବେ ଶ୍ରୀ ମହାନ୍ତି ବିଜୁ ଜନତା ଦଳରେ ସାମିଲ ହେଲେ। ର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ଦୁଇଦିନ ତଳେ କଂଗ୍ରେସ ଛାଡ଼ିଥିଲେ।ଆଜି ଶହ ଶହ ସମର୍ଥକଙ୍କ ସହ ଅଂଶୁମାନ ଏକ ବିରାଟ ରାଲିରେ ଶଙ୍ଖ ଭବନରେ ପହଞ୍ଚିଥିଲେ। ଆଉ ବିଜେଡିରେ ସାମିଲ ହୋଇଥିଲେ।
ବିଜେଡିରେ ମିଶିବା ପରେ ଅଂଶୁମାନ କହିଛନ୍ତି, ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଁ ବିଜେଡିରେ ମିଶିଲେ।ତାଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ଧାରାରେ ମୁଁ ଅନୁପ୍ରାଣିତ ହୋଇ ରାଜନଗର ପରିବାର ସହ ବିଜେଡିରେ ସାମିଲ ହୋଇଛି।ରାଜନଗରର ବିକାଶ ଧାରାକୁ ଆଗେଇ ନେବା ସହ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି।ବିଜେଡିରେ ମିଶିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଂଶୁମାନ।
ସାଂସଦ ମାନସ ମଙ୍ଗରାଜ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକ, ବିଧାୟକ ପ୍ରତାପ ଜେନା, ବିଧାୟକ ଧୃବଚରଣ ସାହୁ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ ଶ୍ରୀ ମହାନ୍ତି ।ଅଂଶୁମାନ ଏବଂ ତାଙ୍କ ସମର୍ଥକଙ୍କୁ ବିଜେଡିରେ ସ୍ବାଗତ କରିଥିଲେ ସାଂସଦ ମାନସ ମଙ୍ଗରାଜ।
ସୂଚନାଥାଉକି, ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟକା ଦେଇ ଦୁଇ ଦିନ ତଳେ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ଅଂଶୁମାନ। ୨୦୧୪ରେ ସେ ରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅଂଶୁମାନ ମହାନ୍ତି ହେଉଛନ୍ତି ରାଜନଗରର ୭ ଥରର ବିଧାୟକ ତଥା ଦୁଇ ଥର ମନ୍ତ୍ରୀ ହୋଇଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ।