ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା; ଆଜି ନବୀନ ନିବାସରେ ଜରୁରୀ ବୈଠକ
![](https://www.odishalink.com/wp-content/uploads/2024/03/n-703x430.jpg)
ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏସବୁ ମଧ୍ୟରେ ଆଜି ବିଜେଡିର ବଡ଼ ବୈଠକ ହେବାକୁ ଯାଉଛି। ବରିଷ୍ଠ ନେତାଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହେବ। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ଡକାଯାଇଥିବା ସୂଚନା ରହିଛି।
ଅନ୍ୟପଟେ, ନିର୍ବାଚନ ତାରିଖ ଘୋଷଣା ହେବା ନେଇ ଚର୍ଚା ବଢ଼ିବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣାକୁ ସମସ୍ତେ ଅପେକ୍ଷା କରିଛନ୍ତି। ନିର୍ବାଚନ କମିଶନ ଆଜି କିମ୍ବା ୧୫ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବା ସମ୍ଭାବନା ରହିଛି। ୨୦୧୯ ଭଳି ଏଥର ବି ୭ଟି ପର୍ଯ୍ୟାୟରେ ମତଦାନ ହୋଇପାରେ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବା ସମ୍ଭାବନା ରହିଛି। ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା। ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା। ମେ’ ୨୩ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇଥିଲା। ୨୦୧୯ ଭଳି ୨୦୨୪ରେ ସମାନ ଧରଣର ତାରିଖ ଘୋଷଣା ହୋଇପାରେ।