ଅତିଥି ଦେବୋ ଭବଃର ପରିଚୟ ଦେଲା ଓଡ଼ିଶା; ନିଜ ଦେଶକୁ ଫେରିଲେ ଆନ୍ଥୋନୀ
ଓଏଲ୍ ବ୍ୟୁରୋ: ଅତିଥି ଦେବୋ ଭବଃର ପରିଚୟ ଦେଲା ଓଡ଼ିଶା। ନିଜ ଦେଶକୁ ଫେରିଲେ ଟ୍ୟାକ୍ସି ଚାଳକଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ନେଦରଲାଣ୍ଡସର ନାଗରିକ। ଖୁସିରେ ଆତ୍ମହରା ହୋଇ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶା ଲୋକ ବହୁତ ଭଲ ବୋଲି କହିଲେ ନେଦରଲାଣ୍ଡସର ନାଗରିକ ଆନ୍ଥୋନୀ। ବିଦେଶୀ ପର୍ଯ୍ୟଟକ ଆନ୍ଥୋନୀ ଟିଆଇ ପରେଡ୍ ମାଧ୍ୟମରେ ଡ୍ରାଇଭରଙ୍କୁ ଚିହ୍ନଟ କରିଥିଲେ। ଏହାପରେ ଡ୍ରାଇଭର ସାଗର ମଲ୍ଲିକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ଟ୍ୟାକ୍ସି ଚାଳକଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ନେଦରଲାଣ୍ଡସର ନାଗରିକ ନିଜର ଜିନିଷ ଫେରି ପାଇଛନ୍ତି। ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୁଲିସ ଅଭିଯୁକ୍ତକୁ ରାଜ୍ୟ ବାହାରୁ ଗିରଫ କରି ଆଣିଥିଲା। ଆନ୍ଥୋନୀଙ୍କର ମାର୍ଚ୍ଚ ୧୫ରେ ନାଗପୁରକୁ ଫ୍ଲାଇଟ୍ ଥିବାରୁ ଆଜି ଜିଲ୍ଲା ପ୍ରଶାସନ ଦୁଇ ଜଣ ଅଧିକାରୀ ତାଙ୍କୁ ଭୁବନେଶ୍ୱରରୁ ନାଗପୁର ନେଇଛନ୍ତି। ଗତ ଡିସେମ୍ବର ୧୮ ତାରିଖରେ ଓଡ଼ିଶା ଆସିଥିଲେ ନେଦରଲାଣ୍ଡସର ୭୨ ବର୍ଷୀୟ ଆନ୍ଥୋନୀ। ପୁରୀରେ ରହୁଥିବା ବେଳେ ଟ୍ୟାକ୍ସିରେ ବିଭିନ୍ନ ସ୍ଥାନ ବୁଲିବା ସମୟରେ ଚାନ୍ଦବାଲି ନିକଟରେ ତାଙ୍କ ଗାଡିରୁ ୩ ଲକ୍ଷ ୮୭ ହଜାର ଟଙ୍କା ଲୁଟ୍ ହୋଇଥିଲା। ଗାଡିରେ ଆଉ କେହି ନଥିବାରୁ ଡ୍ରାଇଭରଙ୍କ ଉପରେ ସନ୍ଦେହ ହୋଇଥିଲା।