ମେଣ୍ଟ ଚର୍ଚ୍ଚା: ମନମୋହନ କହିଲେ-ଓଡ଼ିଆ ଅସ୍ମିତାକୁ ନେଇ ଲଢ଼େଇ ହେବ
![](https://www.odishalink.com/wp-content/uploads/2024/03/samal.jpg)
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା। ଏହାରି ମଧ୍ୟରେ ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହା ପରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ହେବ। ଲୋକଙ୍କ ଆଶୀର୍ବାଦ ନେଇ ବିଜେପି ଲଢ଼ିବ। ଓଡ଼ିଶାରେ ବିଜେପି ସରକାର ହେବ ବୋଲି ମନମୋହନ ସାମଲ କହିଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ମନମୋହନ ସକାଳେ କିନ୍ତୁ ମେଣ୍ଟ କଥାକୁ ନେଇ ମାପିଚୁପି ଉତ୍ତର ରଖିଥିଲେ। ଯାହା ଫଳରେ ବିଜେଡି ଓ ବିଜେପି ରାଜ୍ୟରେ ସମ୍ଭାବ୍ୟ ମେଣ୍ଟ ଦିଗରେ ଆଗଉଥିବା ଚର୍ଚ୍ଚା ବଢ଼ିବାରେ ଲାଗିଛି। ପୂର୍ବରୁ ମେଣ୍ଟ ସମ୍ଭାବନାକୁ ସିଧାସଳଖ ମନାକରୁଥିବା ମନମୋହନ ତାଙ୍କ ଟିମ୍ ସହିତ ୪ ଦିନ ଦିଲ୍ଲୀରେ ଡେରା ପକାଇଥିଲେ। ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ ପରେ ନିଜ ଟିମ୍ ସହ ଆଜି ସକାଳେ ଓଡ଼ିଶା ଫେରିଛନ୍ତି। କିନ୍ତୁ ସେ ସିଧାସଳଖ ମେଣ୍ଟ ସମ୍ପର୍କରେ କିଛି କହି ନାହାନ୍ତି। ସେ କହିଛନ୍ତି, ‘ସବୁ ଠିକ୍ ଚାଲିଛି। ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି। ସବୁ ବିଷୟରେ ବିଚାର ଆଲୋଚନା କରୁଛୁ।
ଅନ୍ୟପଟେ ଆଜି ଅପରାହ୍ନରେ ନବୀନ ନିବାସରେ ବୈଠକ ବସିବାକୁ ଯାଉଛି। ଏହାପରେ ସମ୍ଭବତଃ ବିଜେପିର ଶୀର୍ଷ ନେତା ଓ ନବୀନଙ୍କ ଉପସ୍ଥିତିରେ ଏହି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ କେବେ ସୁଦ୍ଧା ମେଣ୍ଟ ଘୋଷଣା ହେବ ଜଣା ପଡ଼ି ନ ଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ଆନୁଷ୍ଠାନିକ ମେଣ୍ଟ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି।
ସୂଚନାଥାଉକି, ଗତକାଲି ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେ ନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।