‘ନବୀନ ମୋ ଗୁରୁ’

ଓଏଲ୍ ବ୍ୟୁରୋ: ସାରା ଦେଶରେ ବାଜିସାରିଲାଣି ନିର୍ବାଚନ ବିଗୁଲ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଓଡ଼ିଶାରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ସାରା ଦେଶରେ ନଜର ରହିଛି। ଏପରିକି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ବିଜେଡିର ଟାଣୁଆ ନେତା ଭି.କେ ପାଣ୍ଡିଆନ ମେଣ୍ଟକୁ ନେଇ ଦେଇଛନ୍ତି ବଡ଼ ସୂଚନା।
ଜାତୀୟ ଗଣମାଧ୍ୟମ ସଂସ୍ଥା ନେଟଓ୍ବାର୍କ ୧୮ର କନକ୍ଲେଭରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଯୋଗ ଦେଇଛନ୍ତି। ଆଲୋଚନା ସମୟରେ ସେ ମେଣ୍ଟ ପ୍ରସଙ୍ଗରେ କହିଛନ୍ତି, ସରକାର ଗଠନ ପାଇଁ ବିଜୁ ଜନତା ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ। ବିଜୟ ପାଇଁ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ। ଦେଶରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ହେବ। ଆଗକୁ କ’ଣ ହେବ ଖୁବଶୀଘ୍ର ଜଣାପଡ଼ିବ ବୋଲି ପାଣ୍ଡିଆନ୍ କହିଛନ୍ତି।
ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ରାଜନେତା। ଉଭୟେ ଉତ୍ତମ ବନ୍ଧୁ। ମୁଁ କେବଳ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରୁଛି। ନବୀନ ପଟ୍ଟନାୟକ ହେଉଛନ୍ତି ମୋ ଗୁରୁ। ସେ ଗଣତନ୍ତ୍ର ପଦ୍ଧତିରେ ସର୍ବାଧିକ ଥର ଜିତିଥିବା ନେତା। କେବଳ ଦେଶରେ ନୁହେଁ ବିଦେଶରେ ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଳନୀୟ ବୋଲି ପାଣ୍ଡିଆନ କହିଛନ୍ତି।