ଦାମୋଦର ରାଉତଙ୍କ ଦେହାନ୍ତ; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଓଏଲ୍ ବ୍ୟୁରୋ: ଆଉ ନାହାନ୍ତି ବର୍ଷିଆନ୍ ରାଜନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଶ୍ରୀ ରାଉତଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ। ଦାମୋଦର ରାଉତଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର। ବର୍ଷିଆନ୍ ରାଜନେତା ଦାମୋଦର ରାଉତଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ତାଙ୍କ ଅବଦାନ ସ୍ମରଣୀୟ। ପରିବାର ବର୍ଗଙ୍କ ସହ ଅନୁଗାମୀଙ୍କୁ ଗଭୀର ସମବେଦନା ଜଣାଇଲେ ରାଷ୍ଟ୍ରପତି।
Saddened by the demise of veteran leader Shri Damodar Rout who served as minister several times in Odisha Government. Shri Rout's contribution to the progress of Odisha and the country will always be remembered. My deepest condolences to his family members and followers.
— President of India (@rashtrapatibhvn) March 22, 2024
ବର୍ଷିଆନ୍ ରାଜନେତା ଦାମୋଦର ରାଉତଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହା ସହ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେଡି ନେତା ଚ୍ୟାଉ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।