ଜଟଣୀ: ସ୍ବାଧୀନ ଭାବେ ଲଢ଼ିବେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ; କଲେ ବଡ଼ ଘୋଷଣା
![](https://www.odishalink.com/wp-content/uploads/2024/03/Sidharath-routray--750x430.png)
ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ନିର୍ବାଚନ ମଇଦାନରେ ଦେଖିବାକୁ ମିଳୁଛି ରୋମାଞ୍ଚ। ଏବେ ସବୁଠି ଚର୍ଚ୍ଚାରେ ବରିଷ୍ଠ ରାଜନେତା ସୁରେଶ ରାଉତରାୟଙ୍କ ପରିବାରକୁ ନେଇ। ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟଙ୍କୁ ବିଜେଡି ଟିକେଟ୍ ମିଳିଛି। ବଡ଼ ବଡ଼ ନେତାଙ୍କୁ ପଛରେ ପକାଇ ବିଜେଡି ଯୋଗ ଦେବାର ୪ ଘଣ୍ଟା ଭିତରେ ଭୁବନେଶ୍ବର ସାଂସଦ ଟିକେଟ୍ ହାତେଇଥିଳେ ମନ୍ମଥ। ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ। ନିମାପଡା ନୁହେଁ ବରଂ ଜଟଣୀରୁ ସେ ନିର୍ବାଚନ ଲଢିବାକୁ ନିଜେ ଆଜି ଘୋଷଣା କରିଛନ୍ତି।
ସିଦ୍ଧାର୍ଥ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି, ବାପା ଯାହା ଭୁଲ କରିଛନ୍ତି, ତାକୁ ଠିକ୍ କରିବା ହେଉଛି ବଡପୁଅର ଦାୟିତ୍ୱ। କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଲେ ଲୋକଙ୍କ ପାଖକୁ ଭିନ୍ନ ବାର୍ତ୍ତା ଯିବ। ତେବେ କଂଗ୍ରେସ ପ୍ରତି ଯଥେଷ୍ଟ ସମ୍ମାନ ଓ ସମର୍ଥନ ରହିଛି।ପୂର୍ବ ଅପେକ୍ଷା କଂଗ୍ରେସ ଏବେ ଆହୁରି ଅଧିକ ସ୍ୱଚ୍ଛ ହେଇଛି ବୋଲି କହିଛନ୍ତି।
ଯଦି କଂଗ୍ରେସ ଟିକେଟରୁ ନିର୍ବାଚନ ସେ ଲଢନ୍ତି, ତେବେ ଲୋକଙ୍କ ପାଖକୁ ଭୁଲ୍ ମେସେଜ୍ ଯିବ, ତେଣୁ ସେ ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ଜଟଣୀଙ୍କୁ ମାଫିଆଙ୍କ ହାତରେ ଛାଡି ହେବ ନାହିଁ। ବିଜୟ ଆଉ ପରାଜୟ ଯାହା ହେଉ ନା କାହିଁକି ସେ ନିର୍ବାଚନ ଲଢିବେ ବୋଲି ସିଦ୍ଧାର୍ଥ ରାଉତରାୟ କହିଛନ୍ତି।
ସୂଚନାଥାଉକି, ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହେବା ପରେ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ଦଳ। ହେଲେ ମନ୍ମଥଙ୍କ ପ୍ରାର୍ଥୀତ୍ୱକୁ ନେଇ ସୁରଙ୍କ ଘରେ କେହି ସନ୍ତୁଷ୍ଟ ନଥିବା କୁହାଯାଉଛି। ଏମିତି କି ବଡ ଭାଇ ସିଦ୍ଧାର୍ଥ ମଧ୍ୟ ମନ୍ମଥଙ୍କ ପାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ସୁର ରାଉତରାୟ ମଧ୍ୟ ତାଙ୍କ ପଦ ପଦବୀ ଛାଡ଼ି ଦେଇଛନ୍ତି। ଆଉ ଏପରି ସ୍ଥିତିରେ ସିଦ୍ଧାର୍ଥ ଜଟଣୀ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ବୋଲି ଘୋଷଣା କରିଛନ୍ତି ।