ନିର୍ବାଚନ ପୂର୍ବରୁ ମହଙ୍ଗା ମାଡ଼; ପକେଟକୁ ବାଧୁଛି ଆଳୁ ଦର
ଓଏଲ୍ ବ୍ୟୁରୋ: ନିର୍ବାଚନ ପୂର୍ବରୁ ସୁନା ଆଉ ତାପମାତ୍ରା ବଢୁଥିବାବେଳେ ଗ୍ରାହକଙ୍କ ପକେଟରେ ଆଉ ଏକ ମହଙ୍ଗା ମାଡ଼ ହୋଇଛି। ରାଜଧାନୀରେ ବଢୁଛି ପନିପରିବା ଦର। ହଠାତ୍ ଆଳୁ ଦର ବୃଦ୍ଧି ପାଇଛି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି। ତେବେ କେବଳ ଆଳୁ କାହିଁକି, ରୋଷେଇ ଘରର ଅନ୍ୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀ, ହରଡ଼ ଡାଲି ଓ ପାମୋଲିନ୍ ତେଲର ଦାମ୍ ମଧ୍ୟ ବୃଦ୍ଧି ପାଇଛି। ଗଲା ଦଶ ଦିନ ଭିତରେ ଆଳୁ କିଲୋ ପିଛା ପ୍ରାୟ ୧୦ଟଙ୍କା ବଢ଼ିଲାଣି।
ଏବେ ବଜାରରେ କିଲୋ ପିଛା ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଆଗକୁ କିଲୋ ପିଛା ଦର ୪୦ ଟଙ୍କା ହୋଇପାରେ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି। ଓଡ଼ିଶାକୁ ଆଳୁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆସିଥାଏ। ସେହିପରି ଗତ ୧୫ ଦିନ ଭିତରେ ଡାଲି କିଲୋ ପିଛା ୮ ଟଙ୍କା ବଢିଥିବା ବେଳେ ତେଲ ଲିଟର ୫ ଟଙ୍କା ବଢିଛି।
ସେହିଭଳି ଗତ ସପ୍ତାହରେ ହରଡ ଡାଲି ୧୩୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିନ୍ତୁ ହରଡ଼ ଡାଲି କିଲୋପିଛା ୧୩୮ ରୁ ୧୫୫ ଟଙ୍କାରେ ବିକ୍ରି ହେଉଛି। ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କାର ନିକଟତର ହୋଇଛି। ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କା ନିକଟତର ହୋଇଛି। ତେବେ ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କ ଚିନ୍ତାର ବିଷୟ ପାଲଟିଛି