ଆଜି ବିଶ୍ଵ ମ୍ୟାଲେରିଆ ଦିବସ; ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ଓଏଲ୍ ବ୍ୟୁରୋ: ଆଜି ବିଶ୍ଵ ମ୍ୟାଲେରିଆ ଦିବସ। ପ୍ରତିବର୍ଷ ଏପ୍ରିଲ ୨୫ରେ ଏହି ଦିବସ ପାଳିତ ହେଇଥାଏ। ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଆଫ୍ରିକା ମ୍ୟାଲେରିଆ ଦିବସ ପାଳନ ପାଇଁ ପ୍ରଥମେ ହୋଇଥିବା ପ୍ରୟାସରୁ ବିଶ୍ୱ ମ୍ୟାଲେରିଆ ଦିବସର ସୃଷ୍ଟି।ସାଧାରଣତଃ ମାଈଏନୋଫିଲିସ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଡେଙ୍ଗୁ ପାଇଁ ଦାୟୀ ଏଡିସ୍ ମଶା ସକାଳ ଓ ସନ୍ଧ୍ୟା ସମୟରେ କାମୁଡ଼ିବା ବେଳେ ମ୍ୟାଲେରିଆ ମଶା ରାତିରେ ପୁଣି ଶୋଇବା ସମୟରେ କାମୁଡ଼ିଥାଏ।
ନିକଟ ଅତୀତରେ ପ୍ରକାଶିତ ବିଶ୍ୱ ମାଲେରିଆ ରିପୋର୍ଟ ଅନୁସାରେ ୨୦୧୫ ମସିହାରେ ବିଶ୍ୱ ସ୍ତରରେ ୪୨୯୦୦୦ ମ୍ୟାଲେରିଆ ଜନିତ ମୃତ୍ୟୁ ସହିତ ୨୧୨ ମିଲିୟନ ନୂତନ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୦ ମସିହାରୁ ୨୦୧୫ ମସିହା ମଧ୍ୟରେ ମ୍ୟାଲେରିଆ ରୋଗ ସଂକ୍ରମଣ କ୍ଷେତ୍ରରେ ଶତକଡା ୨୧ ଭାଗ ହ୍ରାସ ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁରେ ୨୯ ଶତକଡା ହ୍ରାସ ପରିଲକ୍ଷିତ ହୋଇଛି।
ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ ବୋଲି କହିଥାଆନ୍ତି। ତେବେ ବର୍ଷାଦିନରେ ମ୍ୟାଲେରିଆ, ଡେଙ୍ଗୁ, ଓ ଡାଇରିଆ ଭଳି ସଂକ୍ରମଣର ଆଶଙ୍କା ରହିଛି। ସାମାନ୍ୟ ସଚେତନତା ପ୍ରତିଷେଧକ ଅଭାବରୁ ଆମେ ଏହି ରୋଗଗୁଡିକରେ ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତା’ହେଲେ ଆସନ୍ତୁ, ଏହି ରୋଗର କାରଣ, ନିରାକରଣ ଓ ଆମର ଦାୟିତ୍ୱ ବିଷୟରେ ଆଲୋଚନା କରିବା।
ଲକ୍ଷଣ;
୧.ଜ୍ୱର ହେବା, ମୁଣ୍ଡ ବିନ୍ଧା ସହିତ ଶୀତ ଓ କମ୍ପ ହୁଏ।
୨.ଜ୍ୱର ଦିନେ ବା ଦୁଇ ଦିନ ବ୍ୟବଧାନରେ ହୋଇପାରେ।
୩.ଦେହ, ହାତ, ଗୋଡ ବିନ୍ଧା ଛିଟିକା ହୋଇପାରେ।
ବିପଦପୂର୍ଣ୍ଣ ମ୍ୟାଲେରିଆର ଲକ୍ଷଣ: ସାଧାରଣତଃ ଫାଲସିପାରସ ମ୍ୟାଲେରିଆ କ୍ଷେତ୍ରରେ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନ କଲେ ଏହା ବିପଦ ଆଡକୁ ଗତି କରେ। ଏହି ସମୟରେ ତୁରନ୍ତ ଚିକିତ୍ସା ନ କଲେ ରୋଗୀ ମୃତ୍ୟୁମୁଖରେ ପଡିପାରେ। ବିପଜ୍ଜନକ ମ୍ୟାଲେରିଆ ରୋଗୀର ମସ୍ତିଷ୍କ, କିଡନୀ ତଥା ଅନ୍ୟାନ୍ୟ ଅଙ୍ଗକୁ ଆକ୍ରାନ୍ତ କରିବା ସହ ଅକାମୀ କରିଦିଏ। ଫଳରେ ରୋଗୀ ମୃତ୍ୟୁମୁଖରେ ପଡିବାର ଆଶଙ୍କା ରହିଛି।
ତେବେ ନିମ୍ନଲିଖିତ ଲକ୍ଷଣଗୁଡିକ ଦେଖାଗଲେ ଆମେ ବିପଜ୍ଜନକ ମ୍ୟାଲେରିଆ ହୋଇଛି ବୋଲି ସନ୍ଦେହ କରିବା।
୧. ରୋଗୀ ଅସ୍ବାଭାବିକ ଭାବେ ଶୋଇ ପଡିବା ଏବଂ ରୋଗୀକୁ ଉଠାଇବାକୁ କଷ୍ଟ ହେବା।
୨. ରୋଗୀକୁ ବାତ ମାରିବା ଲକ୍ଷଣ ଦେଖାଦେବା।
୩.ରୋଗୀ ଏତେ ଦୁର୍ବଳ ହୋଇଯିବ ଯେ ଉଠି ବସି ପାରୁ ନ ଥିବ।
୪.ଅଧିକ ବାନ୍ତି ହେବା ସହ ଔଷଧ ଖାଇଲେ ବି ବାନ୍ତି ହୋଇ ପେଟରୁ ବାହାରିଯିବା।
ଉପଚାର: ମ୍ୟାଲେରିଆ ପରଜୀବୀ ସାଧାରଣତଃ ଚାରି ପ୍ରକାରର। ଉଭୟ ମଶା ଓ ମଣିଷ ଦେହରେ ତାହାର ଜୀବନ ଚକ୍ର ସମ୍ପୂର୍ଣ୍ଣ କରିଥାଏ। କେବଳ ରୋଗୀଠାରୁ ପରଜୀବୀ ଗ୍ରହଣ କରି ମଶା ତାହାକୁ ସୁସ୍ଥ ଲୋକର ଶରୀରରେ ଛାଡ଼ିଥାଏ। ଯେତେ ଅଧିକ ରୋଗୀ ରହିବେ, ମ୍ୟାଲେରିଆ ସେତିକି ଅଧିକ ବୃଦ୍ଧି ପାଇବ। ଯଦି ମ୍ୟାଲେରିଆ ରୋଗୀ କମିବେ ତାହାହେଲେ ମ୍ୟାଲେରିଆ କମି ପାରିବ।
କ୍ରମଶଃ ପାର୍ଶ୍ୱ ପ୍ରତିକ୍ରିୟାଯୁକ୍ତ ଔଷଧ ଯଥା-କ୍ଲୋରୋକୁଇନ୍, କୁଇନାଇନ୍ ଇତ୍ୟାଦି ବଦଳରେ ନୂଆ ଔଷଧ ବାହାରିଛି ଏବଂ ଆର୍ଟିମିସିନିନ୍ ବା ‘ଏସିଟି’ ବ୍ୟବହାର ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳୁଛି। ତା’ ସହ ମୃତ୍ୟୁହାରକୁ ଅନେକାଂଶରେ କମାଯାଇପାରିଛି। ମାତ୍ର ଏହି ଚିକିତ୍ସା ଉପଯୁକ୍ତ ରକ୍ତ ପରୀକ୍ଷା ସହିତ ମେଡିସିନ୍ ବିଶେଷଜ୍ଞଙ୍କ ଦ୍ୱାରା ହେବା ଉଚିତ।
ମଶା ବଂଶ ହ୍ରାସ ପାଇଁ ଡିଡିଟି ସିଞ୍ଚନ, ତୁରନ୍ତ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା, ମଶା ବଂଶ ବୃଦ୍ଧି ରୋକିବା ପାଇଁ କାର୍ଯ୍ୟକ୍ରମ ସହିତ ଜାତୀୟ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍ଏମ୍ସିପି ଆରମ୍ଭ ହୋଇଥିଲା। ଡିଡିଟି ବ୍ୟବହାର ବାରଣ ପରେ ୧୯୫୮ରେ ଏହାକୁ ଜାତୀୟ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ବା ଏମ୍ଏନ୍ଇପିରେ ପରିବର୍ତ୍ତନ କରାଯାଇଥିଲା। ଏହାପରେ ୨୦୦୩-୨୦୦୪ରେ ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ମ୍ୟାଲେରିଆ ସହିତ ଡେଙ୍ଗୁ, ଫାଇଲେରିଆ, ଚିକୁନଗୁନିଆକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାପରେ ଏହାକୁ ଜାତୀୟ ଫ୍ରେମଓ୍ବାର୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ବା ଏନ୍ଏଫ୍ଏମଇ ଭାବରେ ପରିବର୍ତ୍ତନ କରାଯାଇଛି।
ଆମ ରାଜ୍ୟର ‘ଦମନ’ ସମସ୍ତ ବୈଜ୍ଞାନିକ ଓ ଡାକ୍ତରଙ୍କୁ ହୃଦୟଙ୍ଗମ କରାଇପାରିଛି ଯେ, ଯଦି ମଶାରି ବ୍ୟବହାର ବ୍ୟାପକ ଓ ପୂର୍ଣ୍ଣ ରୂପେ କରାଯାଇପାରିବ, ତାହାହେଲେ ମ୍ୟାଲେରିଆ ସହିତ ଆଉ ପାଞ୍ଚଗୋଟି ମଶାବାହିତ ରୋଗ ନିୟନ୍ତ୍ରଣ କରିହେବ। ମଶାଧୂପ, ତେଲ, ମ୍ୟାଟ୍ ଓ ବ୍ୟାଟ୍ ଇତ୍ୟାଦି ମଶାରି ସହ ତୁଳନୀୟ ନୁହେଁ। ଏହା କରିପାରିଲେ ମ୍ୟାଲେରିଆ ନିରାକରଣ ସମ୍ଭବ ହୋଇପାରିବ।