ସରଗରମ ଓଡ଼ିଶା ରାଜନୀତି, ୬ ନେତାଙ୍କୁ ସ୍ବତନ୍ତ୍ର ସୁରକ୍ଷା

ଓଏଲ୍ ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ନିର୍ବାଚନ ମାହୋଲ। ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ନିର୍ବାଚନୀ ଚର୍ଚ୍ଚା। ଚା’ଖଟିରୁ ଆରମ୍ଭ କରି ସପିଂ ମଲ୍ ପର୍ଯ୍ୟନ୍ତ ହେଉଛି ନିର୍ବାଚନୀ ଚର୍ଚ୍ଚା। ଟିଭି, ଖବରକାଗଜ, ସୋସିଆଲ ମିଡିଆରେ ସବୁଠି ନିର୍ବାଚନୀ ଖବର। ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଥରକେ ହେଉଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ନିର୍ବାଚନୀ ପ୍ରଚାର ମଧ୍ୟ ସରଗରମ ହେବାରେ ଲାଗିଛି। ଏହାକୁ ନଜରରେ ରଖି ଓଡ଼ିଶାରା ୬ ନେତାଙ୍କୁ ଯୋଗାଇ ଦିଆଯିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଏନେଇ ରାଜ୍ୟ ସିକ୍ୟୁରିଟି ଓ୍ବିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶାର ୬ ନେତାଙ୍କୁ ଯୋଗାଇ ଦିଆଯିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ ଜେଡ୍ ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ ଓ୍ବାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସ୍ବତନ୍ତ୍ର ଜେଡ୍ ସୁରକ୍ଷା ଯୋଗାଇ ଦିଆଯିବ।
ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ଓ କଣ୍ଟାବା୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଓ୍ବାଇ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ରାଜ୍ୟ ସିକ୍ୟୁରିଟି ଓ୍ବିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଏ ସଂପର୍କିତ ନିଷ୍ପତ୍ତି ନିଆଯାଇଛି।