ଶାହଙ୍କ ବିକୃତ ଭିଡିଓ ମାମଲା: ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣଙ୍କୁ ସମନ

ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିକୃତ ଭିଡିଓ ମାମଲା। ବିକୃତ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସମେତ ସମୁଦାୟ ୮ ଜଣଙ୍କୁ ନୋଟିସ ଜାରି କରାଯାଇଛି। ସମସ୍ତଙ୍କୁ ପଚରାଉଚରା ନିମନ୍ତେ ଦିଲ୍ଲୀ ଡକାଯାଇଥିବା ବେଳେ ସାଙ୍ଗରେ ନିଜ ମୋବାଇଲ ଆଣିବାକୁ କୁହାଯାଇଛି।ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଆସନ୍ତା ୧ ତାରିଖରେ ହାଜର ହେବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ଅନେକ ନେତା ଏହି ନକଲି ଭିଡିଓକୁ ପୁନଃ ପୋଷ୍ଟ୍ କରିବା ପରେ ବିଜେପି ଏହାର ଜୋରଦାର ପ୍ରତିବାଦ କରିଛି। ଦିଲ୍ଲୀ ପୁଲିସ ମେ ୧ ତାରିଖରେ ରେବନ୍ତଙ୍କୁ ପଚରାଉଚରା ପାଇଁ ଡକାଇଥିବା ବେଳେ ତାଙ୍କ ଦ୍ୱାରା ବ୍ୟବହୃତ ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ଯାଞ୍ଚ କରିବ ବୋଲି କହିଛି।
ଅନ୍ୟପଟେ ଏକ ରାଲିକୁ ସମ୍ବୋଧନ କରି ରେଡ୍ଡି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଜିତିବା ନିମନ୍ତେ ଇଡି ଓ ସିବିଆଇ ପରି ଏଜେନ୍ସିକୁ ବ୍ୟବହାର କରୁଥିବା ବେଳେ ଏବେ ସେ ଦିଲ୍ଲୀ ପୁଲିସକୁ ବି ଏଥିରେ ନିୟୋଜିତ କରିଛନ୍ତି। ଏଥିସହ ସେ କହିଛନ୍ତି ତାଙ୍କୁ ଗିରଫ କରିବା ନିମନ୍ତେ ଦିଲ୍ଲୀ ପୁଲିସ ଟିମ୍ ତେଲେଙ୍ଗାନା କଂଗ୍ରେସ ମୁଖ୍ୟାଳୟ ପହଞ୍ଚିଥିବା ତାଙ୍କୁ ସୂଚନା ମିଳିଛି। ତେଲେଙ୍ଗାନା ଓ କର୍ଣ୍ଣାଟକାରେ ହେବାକୁ ଥିବା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ହେବା ଜାଣିବା ପରେ ବିଜେପି ଏପରି ବିଳିବିଳାଉଛି ବୋଲି ସେ କହିଛନ୍ତି।