Odisha Link
Bridging the Missing Links in Odisha

କାହା ହାତକୁ ଯିବ କୋରାପୁଟ ସଂସଦୀୟ କ୍ଷେତ୍ର?

କୋରାପୁଟ ଲୋକସଭା ଆସନ ଉପରେ ଏଥର କବ୍‌ଜା କରିବାକୁ ତିନି ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି।

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି।

ମେ’ ୧୩ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ ଆସନ ପାଇଁ ମତଦାନ ହେବ। ତେବେ ଏହି ୪ ଆସନ ମଧ୍ୟରେ ଚର୍ଚ୍ଚିତ ଆସନ ହେଉଛି କୋରାପୁଟ ଲୋକସଭା କ୍ଷେତ୍ର। ଚଳିତ ଥର କୋରାପୁଟ ଲୋକସଭା ଆସନରେ ହେବାକୁ ଯାଉଛି ଦମଦାର ନିର୍ବାଚନୀ ଲଢ଼େଇ। କଂଗ୍ରେସ ତା’ର ଗଡ଼କୁ ସୁରକ୍ଷିତ ରଖିବ ନା ବିଜେଡି, ବିଜେପି ନିଜର ଦମ୍ ଦେଖାଇବେ, ତା’ ଉପରେ ରହିଛି ସମସ୍ତଙ୍କ ନଜର। କୋରାପୁଟ ଆସନ ପାଇଁ ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ। କୋରାପୁଟ ଲୋକସଭା ଆସନ ଉପରେ ଏଥର କବ୍‌ଜା କରିବାକୁ ତିନି ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି।

କୋରାପୁଟ ଲୋକସଭା ଆସନ ପାଇଁ ପୁଣି ଥରେ ସପ୍ତଗିରି ଶଙ୍କର ଉଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ। ସପ୍ତଗିରି ଗତ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କୋରାପୁଟରେ ତାଙ୍କର ଭଲ ସଂଗଠନ ରହିଛି। ସବୁଠୁ ବଡ଼ କଥା ହେଲା, ସପ୍ତଗିରି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଉଲାକାଙ୍କ ପୁଅ। କୋରାପୁଟ ଲୋକସଭା ଆସନରୁ ସେ ଥରେ ସାଂସଦ ହୋଇଥିଲେ। ତା’ ଛଡ଼ା ରାୟଗଡ଼ାରୁ ସେ ଏକାଧିକ ଥର ବିଧାନସଭାକୁ ମଧ୍ୟ ଯାଇଥିଲେ।

ସେହିଭଳି ୨୦୦୯ରେ ଜୟରାମ ପାଙ୍ଗୀ ଏବଂ ୨୦୧୪ରେ ଝିନ ହିକକା ବିଜେଡି ଟିକେଟ୍‌ରେ ଲଢ଼ି ସାଂସଦ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ କୋରାପୁଟ ପାଇଁ ନୂଆ ରଣନୀତି ଆପଣେଇ ଖେଳିଥିଲା ମହିଳା କାର୍ଡ। ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ବିଜେଡି କରିଥିଲା ଲୋକସଭା ପ୍ରାର୍ଥୀ। ହେଲେ କୋରାପୁଟ ମିଶନରେ ଫେଲ୍ ମାରିଲା ବିଜେଡିର ରଣନୀତି। କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କଠାରୁ ମାତ୍ର ଅଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଯାଇଥିଲେ କୌଶଲ୍ୟା। ଏଥର ମଧ୍ୟ କୋରାପୁଟ ପାଇଁ ସମାନ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୁଣିଥରେ କୌଶଲ୍ୟା ହିକକାଙ୍କ ଉପରେ ଭରସା କରିଛି ଦଳ।

କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଏଥର କାଳିରାମ ମାଝିଙ୍କୁ ପ୍ରାର୍ଥୀ କରିଛି। ୨୦୦୮ ମସିହାରୁ କୋରାପୁଟ ଲୋକସଭା କ୍ଷେତ୍ରରେ ସେ ବିଜେପି ସଂଗଠନ ପାଇଁ କାମ କରିଆସିଛନ୍ତି। ୨୦୦୯ ଏବଂ ୨୦୧୪ରେ ରାୟଗଡ଼ା ବିଧାନସଭା ଆସନରେ ବିଜେପି ତାଙ୍କୁ ପ୍ରାର୍ଥୀ ମଧ୍ୟ କରିଥିଲା। ହେଲେ ସଫଳ ହୋଇନଥିଲେ କାଳିରାମ ମାଝି। ଯଦି କୋରାପୁଟ ସଂସଦୀୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ସଂଗଠନ କ୍ଷମତା ବିଷୟରେ ଆଲୋଚନା କରିବା, ତେବେ କୋରାପୁଟ ଲୋକସଭା ଆସନ ଦୌଡ଼ରେ ସବୁବେଳେ ଅପହଁଚ ରହିଛି ବିଜେପି। ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଆସନରୁ ହେଭିୱେଟ୍ ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା ଦଳ। ବିଜେପି ସେଥର ତୃତୀୟ ସ୍ଥାନରେ ରହିଥିଲା, ମାତ୍ର ଦଳର ଭୋଟ ହାର ପୂର୍ବ ଅପେକ୍ଷା ବଢ଼ିଥିଲା। ତେବେ ଚଳିତବର୍ଷ କୋରାପୁଟ ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.