ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ
![](https://www.odishalink.com/wp-content/uploads/2024/05/Naveen-Patnaik.jpg)
ଓଏଲ୍ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ହେଉଛି କଣ୍ଟାବାଞ୍ଜି। ଆଜି କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରୁ ପ୍ରଥମ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ। ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ।
ଗତ ୩୦ ତାରିଖରେ ନବୀନ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିବେ। ଏଥିପାଇଁ ସାଢେ ୯ ଟାରେ ମୁଖ୍ଯମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ କଣ୍ଟାବାଞ୍ଜି ଅଭିମୁଖେ ଗସ୍ତ କରିବେ। ୧୦ଟା ୨୫ରେ ତୁଷୁରା ଏୟାରପୋର୍ଟରେ ପହଞ୍ଚି ୧୧ଟା ୫ରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିବେ। ଏହି ସମୟରେ ବରିଷ୍ଠ ବିଜେଡି ନେତା ତଥା ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ।
ସୂଚନାଥାଉକି, ମଙ୍ଗଳବାର ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମା’ତାରା ତାରିଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ।