Odisha Link
Bridging the Missing Links in Odisha

କଟକ ସଂସଦୀୟ କ୍ଷେତ୍ରରେ ହେବ ଜୋରଦାର ଲଢ଼େଇ; ନାମାଙ୍କନ ଭରିଲେ ଭର୍ତ୍ତୃହରି ମହତାବ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା।

ମେ ୨୦ତାରିଖରେ ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ହେବ। ଏଥିପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆସନ୍ତା ୬ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ୨୦୧୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ୧୪୭ ଆସନରେ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ଓ କଂଗ୍ରେସ ୧୪୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ନୀଳଗିରି ଆସନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଏହି କ୍ରମରେ ଆଜି କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ କଟକ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ। କଟକ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କଲେ।

କଟକ ସଂସଦୀୟ କ୍ଷେତ୍ରରେ ବିଜୁ ଜନତା ଦଳ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ସେହିଭଳି କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପରିଚୟରେ ଲଗାତର ନିର୍ବାଚନ ବୈତରଣୀ ପାର ହୋଇ ଆସିଥିବା ଭର୍ତ୍ତୃହରିଙ୍କ ପାଇଁ କିନ୍ତୁ ନୂଆ ସମୀକରଣ ଅଡୁଆ ସୃଷ୍ଟି କରିଛି। କାରଣ ଚଳିତ ବର୍ଷ ବିଜେଡି ଛାଡ଼ି ବିଜେପି ପ୍ରାର୍ଥୀ ହୋଇଛନ୍ତି ଭର୍ତ୍ତୃହରି। ତେବେ ଏଥର କଟକ ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.