ସରଗରମ ଓଡ଼ିଶା ରାଜନୀତି; ବ୍ରହ୍ମପୁରରେ ପହଞ୍ଚିଲେ ନରେନ୍ଦ୍ର ମୋଦି

ଓଏଲ୍ ବ୍ୟୁରୋ: ସରଗରମ ଓଡ଼ିଶା ରାଜନୀତି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି କ୍ରମରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ଓଡିଶା ଗସ୍ତରେ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର କନିଷି ସଭାରେ ପହଞ୍ଚିଛନ୍ତି ମୋଦି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ କନିଷିରେ ଦଳ ପକ୍ଷରୁ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି। କନିଷି କାର୍ଯ୍ୟକ୍ରମ ଶେଷ ହେବା ପରେ ନବରଙ୍ଗପୁର ଚିକିଲିଗାଁ ପଡ଼ିଆରେ ମୋଦି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦିଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିର ଚଳଚଂଚଳ ହୋଇପଡ଼ିଛି।
ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା। ମୋଦୀ ହାତରେ ପଦ୍ମ ଫୁଲ ଦେଖାଇ ଅଭିବାଦନ ଜଣାଇଥିଲେ।