ରୁବେଲା ଭାଇରସ ଭୟ; ଗର୍ଭବତୀଙ୍କୁ ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଓଏଲ୍ ବ୍ୟୁରୋ: ନବରଙ୍ଗପୁରରୁ ଭୟ ବଢ଼ାଇଛି ରୁବେଲା। ଏହି ରୋଗରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଗର୍ଭବତୀଙ୍କୁ ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ। ଯେଉଁ ଗର୍ଭବତୀଙ୍କ ଠାରେ ଲକ୍ଷଣ ଥିବ, ଟେଷ୍ଟିଂ କରାଇବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରର ୨ଟି ବ୍ଲକରେ ୧୮ ଜଣଙ୍କ ଲକ୍ଷଣ ଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
ରୁବେଲା କ’ଣ?
ରୁବେଲା, ବା ଜର୍ମାନ ମିଳିମିଳା ବା ତିନି ଦିନିଆ ମିଳିମିଳା, ରୋଗ ରୁବେଲା ଭୁତାଣୁର ଏକ ସଂକ୍ରମଣର ନାମ। ଏହି ରୋଗ ଅତି ସାମାନ୍ୟ ଧରଣର ହୁଏ ଓ ଅର୍ଦ୍ଧେକ ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି ନାହିଁ। ସଂସ୍ପର୍ଶରେ ଆସିବାର ଦୁଇ ସପ୍ତାହ ପରେ ରାସ ବାହାରେ ଓ ୩ ଦିନ ମାତ୍ର ରହେ। ମୁହଁରେ ଆରମ୍ଭ ହୋଇ ସାରା ଦେହକୁ ବ୍ୟାପିଯାଏ। ମିଳିମିଳା ରାସ ଭଳି ଏହାର ରାସ ଉଜ୍ଜ୍ୱଳ ନୁହେଁ ଓ ବେଳେ ବେଳେ ଏହା କୁଣ୍ଡେଇ ହୁଏ। ଲସିକା ଗ୍ରନ୍ଥି ସାଧାରଣତଃ ଫୁଲିଯାଏ ଓ କିଛି ସପ୍ତାହ ରହେ। ଜ୍ୱର, ତଣ୍ଟି ଘାଆ ଓ ଥକ୍କାଣ ମଧ୍ୟ ହୋଇପାରେ। ବୟଃପ୍ରାପ୍ତ ଲୋକଙ୍କର ଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ଲକ୍ଷଣ। ଜଟିଳତା ମଧ୍ୟରେ ମୁଷ୍କ ବା ଟେସ୍ଟିସ ଫୁଲା, ରକ୍ରସ୍ରାବ ଓ ସ୍ନାୟୁ ପ୍ରଦାହ ଦେଖାଯାଏ।
ସଂକ୍ରମିତ ଲୋକର କାଶରୁ ବାୟୁବାହିତ ହୋଇ ଏହି ରୋଗ ବ୍ୟାପେ। ରାସ ବାହାରିବାର ଏକ ସପ୍ତାହ ପୂର୍ବ ଓ ପର ପର୍ଯ୍ୟନ୍ତ ସଂକ୍ରମଣ କ୍ଷମତା ରହେ। ସି.ଆର.ଏସ. ଶିଶୁ ଏକ ବର୍ଷ ଧରି ଜୀବାଣୁ ବାଣ୍ଟିପାରେ। ଏହି ରୋଗ କେବଳ ମାନବଙ୍କୁ ହୁଏ। କୌଣସି କୀଟ ବା ପୋକଦ୍ୱାରା ଏହା ବ୍ୟାପେନାହିଁ। ଥରେ ରୋଗମୁକ୍ତ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ। ଇମ୍ମ୍ୟୁନିଟି ଉପସ୍ଥିତି ପରୀକ୍ଷା କରି ଜାଣିହୁଏ। ରକ୍ତ, ତଣ୍ଟି ଓ ପରିସ୍ରା ପରୀକ୍ଷା କରି ଭୁତାଣୁ ଦେଖିଲେ ରୋଗ ନିର୍ଣ୍ଣୟ ହୁଏ।
ଆଣ୍ଟିବଡି ନିମନ୍ତେ ରକ୍ତ ପରୀକ୍ଷା ଉପଯୋଗୀ ହୁଏ। ଗୋଟିଏ ଡୋଜ ରୁବେଲା ଟିକା ୯୫ ପ୍ରତିଶତରୁ ଅଧିକ ଉପଯୋଗୀ ହୁଏ। ଅଧିକାଂଶ ସମୟରେ ଏହି ଟିକା ସହିତ ମିଳିମିଳା ଟିକା ଓ ଗାଲୁଆ ଟିକା ମିଶେଇ ଏମଏମଆର ଟିକା ନାମରେ ଦିଆଯାଏ। ପୃଥିବୀର ଅନେକ ସ୍ଥାନରେ ରୁବେଲା ସଂକ୍ରମଣ ଦେଖାଯାଏ। ବାର୍ଷିକ ପ୍ରାୟ ଏକ ଲକ୍ଷ ସି.ଆର.ଏସ. ଦେଖାଯାଆନ୍ତି। ଏହି ରୋଗର ହାର ଟିକା ଦିଆଯିବା ଯୋଗୁ ଆମେରିକା ସହିତ ଅନେକ ଜାଗାରେ କମୁଛି। ପୃଥିବୀବ୍ୟାପି ଏହି ରୋଗକୁ ନିର୍ମୁଳ କରିବା ଚେଷ୍ଟା ଚାଲିଛି।