“ନବୀନ ବାବୁ କେବଳ ଓକେ ଓକେ କହନ୍ତି”

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ପାଖେଇ ଆସିଲା। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ ବଦଳିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଥିପାଇଁ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ମାନେ କରୁଛନ୍ତି ଜୋରଦାର ପ୍ରଚାର। ବିଜେପି ପାଇଁ ଆଜି ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କରିଛନ୍ତି ପ୍ରଚାର। ଏଥିସହିତ ବିଜେଡି ସରକାରଙ୍କୁ କରିଛନ୍ତି କଡ଼ା ସମାଲୋଚନା।
ମାଲକାନଗିରିର କାଲିମେଳାରେ ଆୟୋଜିତ ଜନସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଦିଲ୍ଲୀରେ ମୋଦିଙ୍କ ସରକାର ଅଛି। ପୁଣି ଥରେ କେନ୍ଦ୍ରରେ ମୋଦି ସରକାର ହେବ। ସେହିପରି ଓଡ଼ିଶାରେ ବିଜେପି ସରକାର ହେବ। ଦିଲ୍ଲୀରେ ମୋଦି ଓ ଭୁବନେଶ୍ବରରେ ବି ମୋଦି ସରକାର ହେବ ବୋଲି ଶ୍ରୀ ବିଶ୍ବଶର୍ମା କହିଛନ୍ତି।
ଏମ୍ପିଭି-୮୨ ନାଁକୁ ନେଇ ସମାଲୋଚନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଗାଁର ନାମ ଏଭଳି ଏଠି ରହିଛି କାରଣ ନବୀନଙ୍କ ସରକାର ଚାଲିଛି। ଆମ ସରକାର ଆସିଲେ ଗାଁର ନାମ କରଣ କରିବୁ ବିଜେପି ସରକାର ହେଲେ ଏହି ରାଜସ୍ବ ଗ୍ରାମର ମାନ୍ୟତା ମିଳିବ। ନମ୍ବର ନୁହେଁ ଗାଁର ନାମକରଣ ହେବ। ନବୀନ ବାବୁ କେବଳ ଓକେ ଓକେ କହନ୍ତି। ଆଉ କିଛି କହନ୍ତିନି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି। ଓଡ଼ିଶାରେ ବିଜେପି ସରକାର ଆସିଲେ ୫ ଲୋକଙ୍କୁ ଦର୍ଶନ ପାଇଁ ନେବ। ଓଡ଼ିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ ବୋଲି ସେ ଜନସଭାରେ ସମ୍ବୋଧନ କରି କହିଛନ୍ତି।